ସମ୍ବଲପୁର:ତା.୨୯/୦୮ (ବିଏମସି ଟିଭି ଓଡିଆ)
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କେବଳ କବିତାର ରସାସ୍ୱାଦନ ନୁହେଁ; ଏହା ମାନବିକତା, ପ୍ରକୃତିପ୍ରେମ, ନୈତିକତା ଓ ଆଦର୍ଶ ଜୀବନର ଏକ ଅମୂଲ୍ୟ ପାଠଶାଳା। ଆଜିର ଯୁବପିଢ଼ି ଗଙ୍ଗାଧରଙ୍କ ସାହିତ୍ୟକୁ ପଢ଼ି ଜୀବନର ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱର ଶିକ୍ଷା ନେବା ଆବଶ୍ୟକ ବୋଲି ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ଆୟୋଜିତ ଜୟନ୍ତୀ ସମାରୋହରେ ମତ ପ୍ରକାଶ ପାଇଛି। ବରିଷ୍ଠ ନାଗରିକ ପରିଷଦର ସଭାଗୃହରେ ସଭାପତି ଭକ୍ତ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ଜୟନ୍ତୀ ପାଳିତ ହୋଇଥିଲା। ଏହି ଅବସରରେ ଯୁଧିଷ୍ଠିର ମହାକୁର, ଅରୁଣ ରାୟ ଓ ଅଶୋକ କୁମାର ପାଣିଗ୍ରାହୀ ଗଙ୍ଗାଧରଙ୍କ ସାହିତ୍ୟକୃତିର ବିଭିନ୍ନ ଦିଗ ଉପରେ ନିଜସ୍ୱ ମତ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ମୁଖ୍ୟ ବକ୍ତା କମଳ ଲୋଚନ ପଣ୍ଡା ଗଙ୍ଗାଧରଙ୍କୁ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ଅଭିହିତ କରି ତାଙ୍କ ସାହିତ୍ୟର ଆଧ୍ୟାତ୍ମିକ ଓ ଦାର୍ଶନିକ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବେଦ, ଉପନିଷଦ ଓ ବିଭିନ୍ନ ପୁରାଣର ତଥ୍ୟ ଉଦ୍ଧୃତ କରି ସେ କହିଥିଲେ ଯେ, ଗଙ୍ଗାଧରଙ୍କ ସାହିତ୍ୟରେ ଈଶ୍ୱରୀୟ ସତ୍ତା, ପ୍ରକୃତି ଓ ମାନବଜୀବନ ମଧ୍ୟରେ ଏକ ଅଦ୍ଭୁତ ସମନ୍ୱୟ ପ୍ରତିଫଳିତ ହୋଇଛି। ପ୍ରକୃତି ତାଙ୍କ ପାଇଁ କେବଳ ସୌନ୍ଦର୍ଯ୍ୟର ଉପାଦାନ ନୁହେଁ, ବରଂ ଈଶ୍ୱରୀୟ ସତ୍ତାର ବାହ୍ୟ ପ୍ରକାଶ। ତାଙ୍କ ରଚନାରେ ସର୍ବତ୍ର ବ୍ରହ୍ମମୟ ଉପସ୍ଥିତିର ଅନୁଭବ ମିଳେ ବୋଲି ସେ ମତ ଦେଇଥିଲେ। ତାଙ୍କ ବକ୍ତବ୍ୟ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଯୁଗରେ ଯୁବପିଢ଼ି ଯେତେବେଳେ ମୂଲ୍ୟବୋଧ, ପ୍ରକୃତି ଓ ସାମାଜିକ ଦାୟିତ୍ୱଠାରୁ ଦୂରେଇବାର ଆଶଙ୍କା ଦେଖାଦେଉଛି, ସେତେବେଳେ ଗଙ୍ଗାଧରଙ୍କ ସାହିତ୍ୟ ଏକ ଆଲୋକବର୍ତ୍ତିକା ସଦୃଶ। ତାଙ୍କ ରଚନା ଯୁବପିଢ଼ିକୁ ପ୍ରକୃତିକୁ ଭଲ ପାଇବା, ମଣିଷକୁ ସମ୍ମାନ କରିବା, ଶ୍ରମକୁ ମର୍ଯ୍ୟାଦା ଦେବା, ସତ୍ୟ ଓ ନୈତିକତାର ପଥରେ ଚାଲିବା ଏବଂ ସମାଜ ପ୍ରତି ନିଜ ଦାୟିତ୍ୱ ବୁଝିବାର ପ୍ରେରଣା ଦେଇଥାଏ।ସଭା ଶେଷରେ ଉପସଭାପତି ରାମନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ସେ ଗଙ୍ଗାଧରଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଆଜିର ସମାଜରେ ଅଧିକ ପ୍ରାସଙ୍ଗିକ କରିବା ଉପରେ ଗୁରୁତ୍ୱ ଦେଇ ଏକ ଆଦର୍ଶମୁଖୀ ସମାଜ ଗଠନ ପାଇଁ ଆହ୍ୱାନ ଜଣାଇଥିଲେ।ବକ୍ତାମାନେ ମତ ଦେଇଥିଲେ ଯେ ଗଙ୍ଗାଧର ମେହେରଙ୍କୁ କେବଳ ଜୟନ୍ତୀ ଦିନ ସ୍ମରଣ କଲେ ହେବ ନାହିଁ; ତାଙ୍କ ସାହିତ୍ୟକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ହିଁ ତାଙ୍କ ପ୍ରତି ସତ୍ୟ ଶ୍ରଦ୍ଧାଞ୍ଜଳି। ତାଙ୍କ କବିତାର ମାନବିକତା, ପ୍ରକୃତିପ୍ରେମ ଓ ଜୀବନଦର୍ଶନ ଯୁବମନକୁ ସ୍ପର୍ଶ କରିପାରିଲେ ଏହା ଏକ ସୁସ୍ଥ, ସଚେତନ ଓ ମୂଲ୍ୟବୋଧସମ୍ପନ୍ନ ସମାଜ ଗଠନରେ ନିଶ୍ଚିତ ଭାବେ ସହାୟକ ହେବ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


