ବଲାଙ୍ଗୀର ;ତା-୨୩/୦୭(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡରେ ବିଶିଷ୍ଟ ଶିକ୍ଷାବିତ୍, ବୈଜ୍ଞାନିକ ଓ ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ ଏବଂ ଦେଶବ୍ୟାପୀ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପ୍ରତି ଏକାତ୍ମତା ପ୍ରକାଶ କରି ଭୀମ ଆର୍ମି, ଗରିବ ସେନା, ସି.ଜେ.ପି. ସମର୍ଥକ, ବିଭିନ୍ନ ଛାତ୍ର ସଂଗଠନ, ସାମାଜିକ ସଂଗଠନ, ରାଜନୈତିକ ଦଳ ଏବଂ ସଚେତନ ନାଗରିକଙ୍କ ମିଳିତ ଆନୁକୂଲ୍ୟରେ ଏକ ବିଶାଳ ପ୍ରତିବାଦ ଓ ବିକ୍ଷୋଭ ରାଲି ଆୟୋଜିତ ହୋଇଥିଲା।ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ରାଲି ସହରର ପ୍ରମୁଖ ରାସ୍ତା ପରିକ୍ରମା କରି ସବ୍-କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦକାରୀମାନେ ଶିକ୍ଷା କ୍ଷେତ୍ରର ବିଭିନ୍ନ ସମସ୍ୟାକୁ ନେଇ ପ୍ରସ୍ତୁତ ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସବ୍-କଲେକ୍ଟରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରିଥିଲେ।ବିକ୍ଷୋଭକାରୀମାନେ କହିଥିଲେ ଯେ, ନିଟ୍ ସମେତ ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ଘଟଣା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନିଶ୍ଚିତତାରେ ପକାଇ ଦେଇଛି। ଏହି ଘଟଣାଗୁଡ଼ିକ ଦେଶବ୍ୟାପୀ ଅସନ୍ତୋଷର କାରଣ ପାଲଟିଥିବା ବେଳେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ସୁରକ୍ଷା ଓ ବିଶ୍ୱସନୀୟତା ଆଣିବା ପାଇଁ ସରକାର ତୁରନ୍ତ ସ୍ଥାୟୀ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।ଏହା ସହ ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ବ୍ୟାପକ ତ୍ରୁଟିକୁ ନେଇ ମଧ୍ୟ ପ୍ରତିବାଦକାରୀମାନେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ତ୍ରୁଟି ଯୋଗୁଁ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହେଉଥିବା ସହ ଲକ୍ଷାଧିକ ଛାତ୍ରଛାତ୍ରୀ ପାଠପଢ଼ାରେ ବିଭ୍ରାନ୍ତିର ସମ୍ମୁଖୀନ ହେଉଛନ୍ତି। ତେଣୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇବା ସହ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଜବାବଦେହିତା ଓ ଗୁଣାତ୍ମକ ସଂସ୍କାର ଆଣିବାକୁ ସେମାନେ ଦାବି କରିଥିଲେ।ଶେଷରେ ପ୍ରତିବାଦକାରୀମାନେ ସୋନମ୍ ୱାଙ୍ଗଚୁକ୍ ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଓ ଏକାତ୍ମତା ପ୍ରକାଶ କରି ଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ନେବା ସହ ସେମାନଙ୍କ ଉପସ୍ଥାପିତ ଦାବିଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରି ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଜଣାଇଥିଲେ।
ବଲାଙ୍ଗୀର ରୁ କଞ୍ଜର ମୁନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


