ବ୍ରହ୍ମପୁର: ତା-୧୯/୧ ୨ (ବିଏମସି ଟିଭି ଓଡ଼ିଆ)
ଗତ କାଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଖାରବେଳ ଭବନରେ ଡାଇରେକ୍ଟର ମୁନିସିପାଲ ଆଡମିନିଷ୍ଟ୍ରେସନ ଅରବିନ୍ଦ ଡାକୁଆ, ଆଇଏଏସ ଙ୍କୁ ସାକ୍ଷାତ କରି ଜନଗଣନା କାର୍ଯକ୍ରମ ଆରମ୍ଭ ପରୀପ୍ରେକ୍ଷୀରେ କୌଣସି ଅଞ୍ଚଳର ପ୍ରଶାସନିକ ପରିସୀମା ପରିବର୍ତ୍ତନ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଡିସେମ୍ବର ୩୧ ତାରିଖ ପୂର୍ବରୁ ମିଶ୍ରଣ ନିମନ୍ତେ ଆବଶ୍ୟକୀୟ ପ୍ରକ୍ରିୟାକୁ ସାରି ବିଜ୍ଞପ୍ତି ଜାରି କରିବାକୁ ଅନୁରୋଧ ଜଣାଇଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୬ ରେ ଆଗାମୀ ଜନ ଗଣନା ଆରମ୍ଭ ହେବାକୁ ଥିବା ପରୀପ୍ରେକ୍ଷୀରେ ସରକାରଙ୍କ ତରଫରୁ ଯେ କୌଣସି ଗ୍ରାମ,ଗ୍ରାମ ପଞ୍ଚାୟତ , ବ୍ଲକ, ଉପଖଣ୍ଡ ତଥା ଜିଲ୍ଲା ସୀମା ନିର୍ଦ୍ଧାରଣ ଓ ପରିବର୍ତ୍ତନ ନିମନ୍ତେ ଡ଼ିସେମ୍ବର ୩୧ ତାରିଖ ପୂର୍ବରୁ ସାରିବାକୁ ନିର୍ଦ୍ଧେଶ ରହିଛି। ଏ ନେଇ ଡାଇରେକ୍ଟରଙ୍କୁ ଚେତେଇ ଦିଆଯିବା ସହ ଏଥିରେ ବିଳମ୍ବ ପ୍ରସଙ୍ଗକୁ ଅଯଥା ଜଟିଳତା ଆମନ୍ତ୍ରଣ କରିବ ବୋଲି କୁହାଯାଇଥିଲା । ଏ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହେଇଛି ଡ଼ିସେମ୍ବର ୩୧ ପୂର୍ବରୁ ଏହି ପ୍ରକ୍ରିୟାକୁ ଚୂଡ଼ାନ୍ତ ରୁପ ଦେବାର ପ୍ରୟାସ କରାଯାଉଛି ବୋଲି ସେ କହିଥିଲେ। ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତାବ ବିଭାଗ ନିକଟରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିବାରୁ ଏଥିରେ ବିଳମ୍ବ ଘଟିଛି ବୋଲି ସେ ମତ ବ୍ୟକ୍ତ କରିଥିଲେ। ସେହିପରି କମିଟି କର୍ମକର୍ତ୍ତା ମାନେ ଲୋକସେବା ଭବନରେ ପଂଚାୟତରାଜ ବିଭାଗ ଆଡିସିନାଲ ସେକ୍ରେଟାରୀ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସାକ୍ଷାତ କରି ପଞ୍ଚାୟତ ମିଶ୍ରଣ ନେଇ ଆଲୋଚନା କରିଥିଲେ। ତତ୍ ପରେ ସନ୍ଧ୍ୟାରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ତାଙ୍କ ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରି ମିଶ୍ରଣ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରୀପ୍ରେକ୍ଷୀରେ ଡ଼ିସେମ୍ବର ୩୧ ପୂର୍ବରୁ ଏ ନେଇ ବିଜ୍ଞପ୍ତି ପ୍ରକାଶର ରହିଥିବା ଆବଶ୍ୟକତା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ମନ୍ତ୍ରୀ ଏ ନେଇ ସେ ଅବଗତ ଥିବା ଏଵଂ ଏଥି ନିମନ୍ତେ ଡାଇରେକ୍ଟରଙ୍କୁ ସେ ଆମ ଉପସ୍ଥିତିରେ ନିର୍ଦ୍ଦେଶ ଦେଇ ଡ଼ିସେମ୍ବର ୩୧ ପୂର୍ବରୁ ମିଶ୍ରଣ ପକ୍ରିୟା ସାରିବାକୁ ଆଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗ୍ରସ୍ତ ଅବସରରେ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ଘୋଷଣା ତଥା ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏହା ନିଶ୍ଚିତ କାର୍ଯ୍ୟକାରି ହେବ ଏଵଂ ସମ୍ପୂର୍ଣ ମହାନଗର ନିଗମ ଗଠନର ସ୍ବପ୍ନ ତଥା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ଦିନର ପ୍ରୟାସ ସଫଳ ଓ ସାକାର ହେବ ବୋଲି କମିଟି ଆଶା ଓ ବିଶ୍ୱାସ ରଖିଛି। ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ କମିଟି ତାର ଉଦ୍ୟମ ଜାରି ରଖିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି।ପ୍ରତିନିଧି ମଣ୍ଡଳୀରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, କୋଷାଧକ୍ଷ ଏମ୍ ଲାବଣ୍ୟ ପାତ୍ର, ଉପଦେଷ୍ଟା ପ୍ରବୀଣ କୁମାର ପଟ୍ଟନାୟକ ଓ କାଲିନ୍ଦି ଚରଣ ନାୟକ ସାମିଲ ଥିଲେ।
ବ୍ରହ୍ମପୁର ରୁ କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।


