ସମ୍ବଲପୁର:ତା.୦୬/୦୬ (ବିଏମସି ଟିଭି ଓଡିଆ)
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶ ସମୟରେ ସ୍ୱୟଂସେବକ ମାନଙ୍କର ଗୁଣବତ୍ତା, ଦକ୍ଷତା ବୃଦ୍ଧି, ସଂଘ କାର୍ଯ୍ୟର ଅଭିବୃଦ୍ଧି ଏବଂ କାର୍ଯ୍ୟକର୍ତ୍ତା ନିର୍ମାଣ ଉଦ୍ଦେଶ୍ୟରେ ସଂଘ ଶିକ୍ଷା ବର୍ଗ ଆୟୋଜନ କରିଥାଏ। ଚଳିତ ବର୍ଷ ସମ୍ୱଲପୁରସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ୍ ବିଦ୍ୟାଳୟ ପରିସରରେ ଦୁଇଟି ବର୍ଗର ଆୟୋଜନ କରାଯାଇଥିଲା । ଆଜି ତାର ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଭୟ ବର୍ଗରେ ୩୬୮ ସ୍ଥାନରୁ ୪୭୯ ଜଣ ଶିକ୍ଷାର୍ଥୀ ସମେତ ମୋଟ ୬୧୪ ଜଣ ଅଂଶଗ୍ରହଣ କରିଥିଲେ । ସମସ୍ତ ଶିକ୍ଷାର୍ଥୀଙ୍କ ଯାତ୍ରା ଖର୍ଚ୍ଚ ଓ ଅନ୍ୟାନ୍ୟ ସମସ୍ତ ବ୍ୟୟ ସ୍ବୟଂ ବହନ କରିଥିଲେ । ପ୍ରଶିକ୍ଷଣ ପ୍ରତିଦିନ ପ୍ରାତଃ ୪ଟାରୁ ଆରମ୍ଭ ହୋଇ ରାତ୍ରି ୧୦ଟାରେ ଦୀପ ବିସର୍ଜନ ସହ ସମାପ୍ତ ହେଉଥିଲା। ବର୍ଗରେ ଶାରୀରିକ ପ୍ରଶିକ୍ଷଣ ସହିତ ଦଣ୍ଡ, ଦଣ୍ଡଯୁଦ୍ଧ, ନିଯୁଦ୍ଧ, ଯଷ୍ଟି, ଯୋଗାସନ, ସମତା, ବୌଦ୍ଧିକ ଚର୍ଚ୍ଚା ଏବଂ ସେବାମୂଳକ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସଂଘ ଶିକ୍ଷା ବର୍ଗର ଉଦ୍ଘାଟନ ସମ୍ବଲପୁର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟାନନ୍ଦ ବେହେରା କରିଥିବା ବେଳେ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-ପ୍ରଥମ ର ଉଦ୍ଘାଟନ ଆନନ୍ଦ ଅଗ୍ରୱାଲ, ଚେୟାରମ୍ୟାନ୍, ବୈଦିକ ଇଣ୍ଟରନ୍ୟାସନାଲ୍ ବିଦ୍ୟାଳୟ, କରିଥିଲେ । ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ତୁଳାରାମ କଲେତ ଯୋଗଦେଇ ସ୍ବୟଂସେବକମାନଙ୍କୁ ସମାଜ ଓ ରାଷ୍ଟ୍ର ଗଠନରେ ଅଧିକ ସକ୍ରିୟ ଭୂମିକା ନେବା ପାଇଁ ଆହ୍ୱାନ ଜଣାଇଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବରେ ଡ. ଗୋପାଳ ପ୍ରସାଦ ମହାପାତ୍ର, ଅନ୍ନ ଭାରତୀୟ ସାମାଜିକ ସଦଭାବନା ପ୍ରମୁଖ ଯୋଗ ଦେଇ ସ୍ବୟଂସେବକମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଭାରତ ବର୍ଷର ସମ୍ପୂର୍ଣ୍ଣ ସ୍ବତନ୍ତ୍ରତାର ସ୍ୱପ୍ନକୁ ସାକାର କରିବା ଦୃଷ୍ଟିରୁ ବ.କେଶବ ବଳିରାମ ହେଡଗେୱାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆଜକୁ ୧୦୦ ବର୍ଷ ପୂର୍ବେ ୧୯୨୫ ବିଜୟା ଦଶମୀ ଦିନ ଆରମ୍ଭ କରିଥିଲେ । ସମ୍ପୂର୍ଣ୍ଣ ସ୍ବତନ୍ତ୍ରତା ଅର୍ଥାତ ପରମ୍ ବୈଭବଶାଳୀ ଭାରତବର୍ଷ ଯାହାକି ବ୍ୟକ୍ତି ଚରିତ୍ରର ପରିବର୍ତ୍ତନ ଓ ଲୋକ ଶକ୍ତିର ଜାଗରଣ ଦ୍ବାରା ସମ୍ଭବ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେଥିପାଇଁ ଭାରତବର୍ଷର ପୁତ୍ରରୂପୀ ହିନ୍ଦୁ ସମାଜର ସଂଗଠନର କାର୍ଯ୍ୟ ସଂଘର ଶାଖା ମାଧ୍ୟମରେ ଆଜି ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି । ସଂଘ ଶକ୍ତି ଦ୍ବାରା ସମାଜ ପରିବର୍ତ୍ତନ ଦୃଷ୍ଟିରୁ ପଞ୍ଚ ପରିବର୍ତ୍ତନର ବିଷୟକୁ ସଂଘର ସ୍ବୟଂସେବକମାନେ ସମାଜର ଆଚରଣର ବିଷୟ କରିବା ପାଇଁ ପ୍ରୟାସ ରତ । ଏହି ପାଞ୍ଚ ପରିବର୍ତ୍ତନ (ନାଗରିକ ଶିଷ୍ଟାଚାର, ସାମାଜିକ ସମରସତା, ପର୍ଯ୍ୟାବରଣ ସଂରକ୍ଷଣ, ସ୍ବ-ଆଧାରିତ ଜୀବନଶୈଳୀ ଓ କୁଟୁମ୍ଭ ପ୍ରବୋଧନ) ହେଉଛି ଆଜିର ରାଷ୍ଟ୍ର ଧର୍ମ। ଲୋକଶକ୍ତିର ଜାଗରଣ ଦ୍ବାରା ରାଷ୍ଟ୍ରରଧର୍ମର ପାଳନ ହେଲେ ସମାଜ ପରିବର୍ତ୍ତନ ହେବା ସହ ସମ୍ପୂର୍ଣ ସ୍ବତନ୍ତ୍ରତା ପୂର୍ବକ ଭାରତ ପରମ୍ ବୈଭବଶାଳୀ ରାଷ୍ଟ୍ରରେ ପରିଣତ ହେବ ଓ ବିଶ୍ବଗୁରୁ ଭାବରେ ବିଶ୍ୱକୁ ଦିଗଦର୍ଶନ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବ।
ସମ୍ବଲପୁର ରୁ କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


