ବୋଲଗଡ଼: ତା – ୧୦/୦୩(ବିଏମସି ଟିଭି ଓଡିଆ)
ବୋଲଗଡ଼ ବନଖଣ୍ଡ ଅଧୀନସ୍ଥ ଫାସୀଓଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ମା’ଶିଖର ବାସିନୀ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଜୁ, ମହୁଲ ଶାଳ, ଶାଗୁଆନ, ନିମ୍ବ, ପଟାସ, ଆମ୍ବ, ପିଆଶାଳ, ଆକାଶିଆ କୃଷ୍ଣ ଚୂଡ଼ା, ଚାକୁଣ୍ଡା, କଇଁଆ, ବର, ଓସ୍ତ, ଛତିଆନ ଆଦି ଗଛ ଲଗାଯାଇଥିଲା। ଗତକାଲି କୌଣସି ଅସାମାଜିକ ଯୁବଗୋଷ୍ଠି ଓ ନିଶାଶକ୍ତ ଲୋକମାନେ ଏହି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଦେବାରୁ ମୂଲ୍ୟବାନ ଗଛଗୁଡ଼ିକ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଏହି ସଂରକ୍ଷିତ ଜଙ୍ଗଲ ପରିଚାଳନା କମିଟିର ସଭାପତି ଦୀନବନ୍ଧୁ ସାମନ୍ତରାୟଙ୍କ ସମସ୍ତ ସଦସ୍ୟମାନେ ମିଳିତ ଭାବେ ଜଙ୍ଗଲର ଅଗ୍ନିକାଣ୍ଡ ସମ୍ପର୍କରେ ଲିଖୁତ ଭାବେ ବୋଲଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଛନ୍ତି। ବୋଲଗଡ଼ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବୋଲଗଡ଼ ସ୍ଥିତ ଅଗ୍ନି ନିର୍ବାପକ କାର୍ଯ୍ୟାଳୟକୁ ଜଣାଇବାରୁ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବୋଲଗଡ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଏହି ସଂରକ୍ଷିତ ଜଙ୍ଗଲର ସୁରକ୍ଷା ପାଇଁ କୌଣସି ଫରେଷ୍ଟ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇନଥିବାରୁ ପ୍ରତିଦିନ ବହୁ ମୂଲ୍ୟବାନ କାଠ ଚୋରି ହେଉଛି। ଫଳରେ ଦିନକୁ ଦିନ ସମସ୍ତ ପ୍ରକୃତିପ୍ରେମୀ ତଥା ପରିବେଶବିତ୍ ଓ ଜନସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି। ତେଣୁ ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡ ବନଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଇ ସଂରକ୍ଷିତ ଜଙ୍ଗଲଗୁଡ଼ିକୁ ସୁରକ୍ଷା ଦେବାକୁ ଦୃଢ଼ ଦାବି ହେଉଛି।
ବୋଲଗଡ ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


