ସମ୍ବଲପୁର:ତା-୧୫/୦୩(ବିଏମସି ଟିଭି ଓଡିଆ)
ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରୀରାମ ବାଟିକାରେ ଅନୁଷ୍ଠିତ ଅଖଣ୍ଡ ଚବିଶି ପ୍ରହରୀ ନାମଯଜ୍ଞ ସ୍ଥଳୀକୁ ଆସିଥିବା ସମସ୍ତ ସାଧୁସନ୍ଥ ମାଆ ସମଲେଶ୍ଵରୀଙ୍କ ଦର୍ଶନ କରିଛନ୍ତି। ଦର୍ଶନ ପରେ ସମସ୍ତ ସାଧୁସନ୍ଥ ମନ୍ଦିର ପରିକ୍ରମା କରିଥିଲେ । ଦର୍ଶନ ଓ ପରିକ୍ରମା ପରେ ପ୍ରାୟ ଦୁଇଶହ ସାଧୁ ସନ୍ଥ ଏକ ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ବାଟରେ ପାଟମେଶ୍ୱରୀ ଓ ବାଲିବନ୍ଧା ଶିବ ମନ୍ଦିର ଦର୍ଶନ କରି ଥିଲେ ଦୂରଦୂରାନ୍ତରରୁ ଆସିଥିବା ନାଗାବାବା, ମହନ୍ତ ଙ୍କ ଆଶୀର୍ବାଦ ନେବାକୁ ରାସ୍ତା କଡ଼ରେ ଅଟକି ରହିଥିଲେ ସହସ୍ରାଧିକ ପଡ଼ାବାସୀ । ରାସ୍ତା ସାରା ଝୋଟି ଚିତା ସହ ପୂର୍ଣ୍ଣ କଳସ ରଖି ଆସିଥିବା ସାଧୁସନ୍ଥଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ । ଡୁମେରମାଳ କୁନ୍ତରା ସ୍ଥିତ ଋଷିକୂଲ୍ୟ ବେଦ ବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀଙ୍କ ବେଦ ପାଠ ମଧ୍ୟରେ ସାଧୁସନ୍ଥଙ୍କ ଚାଲିଚାଲି ପରିକ୍ରମା କରିବା ଦୃଶ୍ୟ ଭକ୍ତିମୟ ସୃଷ୍ଟି କରିଥିଲା ଏକ ଆଧ୍ୟାତ୍ମିକ ପରିବେଶ। ସାଧୁସନ୍ଥଙ୍କ ଏହି ମହାକୁମ୍ଭରେ ଦିଲ୍ଲୀର ମହା ମଣ୍ଡଳେଶ୍ୱର ଶ୍ରୀ ଶ୍ରୀ ଏକ ହଜାର ଆଠ ନୱଲ କିଶୋର ଦାସଜୀ ମହାରାଜ, (ଅର୍ନ୍ତରାଷ୍ଟ୍ରୀୟ ରାମ କଥା ପ୍ରଚାର ଖାଲସା) ଯୋଗ ଦେବା ସହ ପଶ୍ଚିମ ଓଡ଼ିଶା ବୈଷ୍ଣବ ମହାସଂଘ ଅଧକ୍ଷ ମହନ୍ତ ଶ୍ରୀ ହୃଷୀକେଶ ଦାସଜୀ ମହାରାଜ, ମଠପାଲି ରାଣୀମଠ ମହନ୍ତ ଶ୍ରୀ ବାସୁଦେବ ଜୀ ମହାରାଜ, ଶ୍ରୀକ୍ଷେତ୍ର ଚାନ୍ଦପୁର ମଠ ମହନ୍ତ ଶ୍ରୀ ରାଧାଚରଣ ଜୀ ମହାରାଜ, ମହନ୍ତ ସେକ୍ରେଟାରୀ ନାଗା ବାବା ଶ୍ରୀ ରଘୁବିର ଦାସ ମହାରାଜ, ମଧ୍ୟପ୍ରଦେଶ ଛତରପୁର ନାଗାବାବା ରାଜେଶ ପୁରୀ ଜୀ, ଚମ୍ବଲ ପିଠାଧିଶ୍ୱର ଶ୍ରୀ ସୁନ୍ଦର ଦାସ ଜୀ ମହାରାଜ , ଋଷିକୁଳ ଆଶ୍ରମର ଜୀବନ ବାବାଙ୍କ ସହିତ ନାଗାବାବା ମାନେ ରାସ୍ତା କଡ଼ରେ ଦର୍ଶନ ପାଇଁ ଅଟକି ରହିଥିବା ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶ୍ରୀରାମ ବାଟିକା ଚବିଶି ପ୍ରହରୀ ନାମଯଜ୍ଞ କମିଟି ପକ୍ଷରୁ ଆୟୋଜିତ ଏହି ସାଧୁସନ୍ଥ ଶୋଭାଯାତ୍ରାକୁକୁ ମନଭରି ଉପଭୋଗ କରିଥିଲେ ସହରବାସୀ। ରବିବାର ସଂଧ୍ୟାରେ ଶ୍ରୀରାମ ବାଟିକା ଯଜ୍ଞସ୍ଥଳୀ ନିକଟରେ ଆସିଥିବା ସମସ୍ତ ସାଧୁ, ମହନ୍ତ, ନାଗାବାବା , ବ୍ରାହ୍ମଣ ଆଦିଙ୍କୁ “ସେବା ଓ ସମ୍ମାନ” କରାଯିବ। ଶ୍ରୀରାମ ବାଟିକା ନାମାଯଜ୍ଞ ଅବସରରେ ସାଧୁସନ୍ଥ ସେବା ସୃଷ୍ଟି କରିବା ସହ ଏହା ଏକ ଅନନ୍ୟ ପରମ୍ପରା ବୋଲି କହିଛନ୍ତି ନାମଯଜ୍ଞ ଆୟୋଜନ କମିଟି ମୁଖ୍ୟ ସିଦ୍ଧାର୍ଥ ସାହା। ଶ୍ରୀରାମ ବାଟିକା ଯଜ୍ଞସ୍ଥଳୀରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସାଧୁ, ମହନ୍ତ, ନାଗାବାବା ଅବସ୍ଥାନ କରିବେ। କେରଳ, ଦିଲ୍ଲୀ, ପୁରୀ, ମଧ୍ଯପ୍ରଦେଶ ଆଦି ସ୍ଥାନର ମହାନ ଗୁରୁଙ୍କୁ ଏହି ସମୟ ମଧ୍ୟରେ ଆସି ଦର୍ଶନ କରିବା ସହ ସେମାନଙ୍କ ଆଶୀର୍ବାଦ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀ ସାହା। “ବିଶ୍ଵ ଶାନ୍ତି ଓ ଜଗତ କଲ୍ୟାଣ” ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଖଣ୍ଡ ନାମ ଯଜ୍ଞରେ ନିଜକୁ ସାମିଲ କରାଇ ଭଗବତ ଆନନ୍ଦ ପ୍ରାପ୍ତି ହେବା ସହ ସମ୍ବଲପୁରବାସୀଙ୍କ ସ୍ନେହ ଶ୍ରଦ୍ଧାକୁ ଭୁଲି ହେବନାହିଁ ବୋଲି କହିଛନ୍ତି ଦିଲ୍ଲୀର ମହା ମଣ୍ଡଳେଶ୍ଵର ଶ୍ରୀ ଶ୍ରୀ ନୱଲ କିଶୋର ଦାସ ମହାରାଜ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଶ୍ରୀରାମ ବାଟିକାରେ ଅଖଣ୍ଡ ଚବିଶି ପ୍ରହରୀ ନାମ ଯଜ୍ଞ; ବହୁ ସାଧୁସନ୍ଥଙ୍କ ସମାଗମ


