କଟକ ; ତା-୦୭/୦୫ ( ବିଏମସି ଟିଭି ଓଡ଼ିଆ)
ଉତ୍କଳ ସାହିତ୍ୟ ସମାଜ ଆମ ଅସ୍ମିତାର ପ୍ରତୀକ । ଏହାର ଗଠନ ଓ ବିକାଶରେ ଯେଉଁ ମହାନ୍ ବରପୁତ୍ରମାନେ ତ୍ୟାଗ ସ୍ୱୀକାର କରିଛନ୍ତି, ସେମାନେ ଏ ଜାତିର ନମସ୍ୟ ବୋଲି ଉତ୍କଳ ସାହିତ୍ୟ ସମାଜର ୧୨୪ତମ ପ୍ରତିଷ୍ଠା ଦିବସରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରତିଷ୍ଠା ଦିବସକୁ ଉଦ୍ଘାଟନ କରି ମାନ୍ୟବର ନ୍ୟାୟମୂର୍ତ୍ତି ଚିତ୍ତରଂଜନ ଦାଶ ଉତ୍କଳ ସାହିତ୍ୟ ସମାଜ ଗ୍ରହଣ କରିଥିବା ଅଗ୍ର-ଭୂମିକା ସଂପର୍କରେ ଆଲୋକପାତ କରି ଏହି ଅନୁଷ୍ଠାନର ଗୌରବମୟ ଅତୀତକୁ ଆମେମାନେ ପାସୋରିବା ଉଚିତ ନୁହେଁ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ‘ଜେମା ସାମନ୍ତ ସୃଜନୀ ପୁରସ୍କାର-୨୦୨୬’ ବାଦଦରେ ପଚାଶ ହଜାର ଅର୍ଥରାଶି ସହିତ ଅନୁଷ୍ଠାନର ପ୍ରତୀକ ଚିହ୍ନ ଓ ଉପଢୌକନ ଗ୍ରହଣ କରି ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫେସର ଆଦିକନ୍ଦ ସାହୁ କହିଲେ ଯେ, ଯେଉଁ ସାହିତ୍ୟ ଅନ୍ୟକୁ କୋଳାଗ୍ରତ କରିବାକୁ ସମର୍ଥ, ତାହା ହିଁ ସଚ୍ଚା ସାହିତ୍ୟ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଲେ ଯେ, ଭାଷା, ସାହିତ୍ୟ ଓ ସଭ୍ୟତାକୁ ନେଇ ପ୍ରଥମେ ଉତ୍କଳ ସାହିତ୍ୟ ସମାଜ ଯେଉଁ ଆଲୋଚନାର ସୂତ୍ରପାତ କରିଥିଲା, ପରବର୍ତ୍ତୀ କାଳରେ ତାହା ସାହିତ୍ୟିକ ଓ ଇତିହାସକାରଙ୍କ ପାଇଁ ପ୍ରେରଣାପ୍ରଦ ହୋଇପାରିଛି । ମୁଖ୍ୟବକ୍ତା ଡକ୍ଟର କୈଳାସ ଚନ୍ଦ୍ର ଦାଶ ଉତ୍କଳ ସାହିତ୍ୟ ସମାଜର ବୈଚିତ୍ର୍ୟପୂର୍ଣ୍ଣ ଇତିହାସ ସଂପର୍କରେ ଆଲୋଚନା କରି ସାରସ୍ୱତ ନବଜାଗରଣ ସୃଷ୍ଟି କ୍ଷେତ୍ରରେ ଏହାର ବଳିଷ୍ଠ ଭୂମିକାକୁ ଉପସ୍ଥାପନ କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ କରାଯାଇଥିଲା । ଉତ୍ସବରେ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଅତିଥି ଆମନ୍ତ୍ରଣ, ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ସ୍ୱାଗତ ଭାଷଣ ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷଣା ଓ ମୀରା ବେଉରା ମାନପତ୍ର ପାଠ କରିଥିଲେ । ଜେମା-ସାମନ୍ତଙ୍କ କନ୍ୟା ଡାକ୍ତର ବାଣୀ ସାମନ୍ତ ଓ ସଂପର୍କୀୟ ପ୍ରାଧ୍ୟାପିକା ବିଜୟିନୀ ସିଂହଦେଓ ଯୋଗ ଦେଇଥିଲେ । ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ବୈଜନ୍ତୀମାଳା ଶତପଥୀ, ରଘୁ ସାହୁ, ଗୀତାଞ୍ଜଳି ପୃଷ୍ଟି, ଶିବାଶିଷ କରଙ୍କ ସମେତ ଶତାଧିକ ସାହିତ୍ୟିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପୂର୍ବାହ୍ଣରେ ସଭାପତି ଅନୁଷ୍ଠାନର ପତାକା ଉତ୍ତୋଳନ କରିଥିବା ବେଳେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଚାରାରୋପଣ କରାଯାଇଥିଲା ।

ବିଏମସି ନ୍ଯୁଜ୍ ଓଡ଼ିଶା ।


