ଢେଙ୍କାନାଳ ;ତା-୨୪/୦୯(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମାଟି ଅନୁକୂଳ ବିଧି ଆରମ୍ଭ ହୋଇଛି।ରାଧାଷ୍ଟମୀ ଓ ସୁନିଆଁ ଅବସରରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ପାଇଁ ବ୍ରାହ୍ମଣୀ ନଦୀର କମଗରା ଘାଟରୁ ମାଟି ଅନୁକୂଳ କରାଯାଇଛି। ଢେଙ୍କାନାଳ ସହର ଗଜଲକ୍ଷ୍ମୀ ପୂଜା ପାଇଁ ସାରା ବିଶ୍ଵରେ ପରିଚିତ । ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ସହର। ୧୧ ଦିନ ବ୍ୟାପୀ ମା’ଙ୍କ ପୂଜା ହୁଏ।ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। କୈବଲ୍ୟବଜାରରୁ ବାଜିଚୌକ ପର୍ଯ୍ୟନ୍ତ ୩ କିମି ବ୍ୟାପି ରାସ୍ତାରେ ହଜାର ହଜାର ଲୋକଙ୍କ ଭିଡ଼ ଜମେ,ଯାହା ଏହି ପୂଜାକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥାଏ। ମାଟି ଅନୁକୂଳରୁ ଆରମ୍ଭ ହୁଏ ଲକ୍ଷ୍ମୀପୂଜାର ପରିବେଶ।
ପ୍ରତ୍ୟେକ ପୂଜା କମିଟି ବାଜା ବାଣ ସହ ଶୋଭାଯାତ୍ରାରେ ଯାଇ ଘାଟରୁ ମାଟି ଆଣିଥାନ୍ତି। ଏଇଠୁ ଆରମ୍ଭ ହୁଏ ଲକ୍ଷ୍ମୀପୂଜାର ପରିବେଶ। ମାସେ ଆଗରୁ ତୋରଣ,ଗେଟ୍ କାମ ଆରମ୍ଭ ହୋଇ ନବବଧୂ ପରି ସଜେଇ ହୋଇଉଠେ ଢେଙ୍କାନାଳ। ୩୮ଟି ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କର ହୁଏ ଆରାଧନା। କୁମାର ପୂର୍ଣ୍ଣିମାଠାରୁ ମା’ଙ୍କ ପୂଜା ଆରମ୍ଭ ହୁଏ। ସହରର ୩୮ଟି ମଣ୍ଡପରେ ମା’ ପୂଜା ପାଆନ୍ତି। ଜାତି,ଧର୍ମ,ବର୍ଣ୍ଣ ଉର୍ଦ୍ଧ୍ବରେ ସମସ୍ତେ ଏକାଠି ହୋଇ ମା’ଙ୍କ ପୂଜା କରିଥାନ୍ତି। ପୂଜା ମଧ୍ୟରେ ସଙ୍କୁଡ଼ି ଭୋଗ ହୁଏ। ପ୍ରତ୍ୟୈକ କମିଟି ପକ୍ଷରୁ ୨ରୁ ୩ ହଜାର ଲୋକଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୁଏ। କେଉଁଠି ପଦ୍ମପତ୍ରରେ ତ କେଉଁଠି ମାଟି କୁଡ଼ୁଆରେ ଦହି ପଖାଳ ପରଷାଯାଏ,ଯାହା ଏକତ୍ଵର ଭାବ ସୃଷ୍ଟି କରେ।
ମିଳିତ ଭସାଣି ଓ ଚାନ୍ଦି ମେଢ଼ ର ଅପୁର୍ବ ପଟୁଆର। ଭସାଣି ଉତ୍ସବ ଏହାର ଅନନ୍ୟ ଆକର୍ଷଣ।ମିଳିତ ଭସାଣିରେ ସମସ୍ତ ୩୮ମେଢ଼ କ୍ରମିକ ସଂଖ୍ୟା ଅନୁସାରେ ଶୋଭାଯାତ୍ରାରେ ଯାଇଥାନ୍ତି। ୩୮ଟି ମଧ୍ୟରୁ ୭ଟି ମଣ୍ଡପ ଚାନ୍ଦିରେ ଚମକେ। ମୀନାବଜାରରେ ୧ କୁଇଣ୍ଟାଲ ୬୫ କେଜି ଚାନ୍ଦି ସହ ସୁନା ମୁକୁଟ,କୈବଲ୍ୟବଜାରରେ ୧ କୁଇଣ୍ଟାଲ ୪୦ କେଜି,ଗଣେଶ ବଜାର ସୌଭାଗ୍ୟଲକ୍ଷ୍ମୀରେ ୩ କୁଇଣ୍ଟାଲ ଚାନ୍ଦି ଓ ୧ କେଜି ସୁନା ମୁକୁଟ ମା’ ପିନ୍ଧିଥାନ୍ତି। ୮୩ ବର୍ଷର ଐତିହ୍ୟ, ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳ ର ସ୍ବତନ୍ତ୍ର ପରିଚୟ।। ଢେଙ୍କାନାଳ ପୂର୍ବେ ‘ନିଜଗଡ଼’ ନାମରେ ଗଡ଼ଜାତ ଥିଲା। ୧୯୨୩ରେ ଉପରଗଡ଼ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସ୍ୱର୍ଗୀୟ ବ୍ରଜକିଶୋର ପଟ୍ଟନାୟକଙ୍କ ଉଦ୍ୟମରେ ପ୍ରଥମେ ପୂଜା ଆରମ୍ଭ ହୋଇଥିଲା। ପ୍ରଜାମଣ୍ଡଳ ଆନ୍ଦୋଳନ ଯୋଗୁଁ କିଛି ବର୍ଷ ବନ୍ଦ ହୋଇ ୧୯୪୨ରୁ ନିରବଚ୍ଛିନ୍ନ ଭାବେ ୮୩ ବର୍ଷ ହେଲା ପୂଜା ହୋଇ ଆସୁଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ କମିଟିକୁ ୫୦ ହଜାର ଟଙ୍କା ସହାୟତା ଦିଆଯାଉଛି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


