ଭୁବନେଶ୍ୱର ; ତା-୦୮/୦୨ ( ବିଏମସି ଟିଭି ଓଡ଼ିଆ)

ଆଜି ରୁଚିକା ସମାଜ ମଙ୍ଗଳ ସଂଗଠନ, ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ଆଲାଏନସ ଓ ଖୋରଧା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବାଲ୍ୟ ବିବାହ ମୁକ୍ତ ଭାରତ ରଥ ଓ ମହିଳାକର୍ମୀ ତଥା ବାଲ୍ୟ ବିବାହ ବନ୍ଦ ପାଇଁ କାର୍ଯ୍ୟ କରୁଥିବା ଯୁବତୀମାନଙ୍କର ଏକ ବିଶାଳ ଶୋଭାଯାତ୍ରାକୁ ଉଦଘାଟନ କରିଲେ ଓଡ଼ିଶା ବିଧାନ ସଭା ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ କି ” ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକ୍ରମେ ଆମେ ଓଡିଶାକୁ ୨୦୩୦ ମସିହା ମଧ୍ୟରେ ନିଶ୍ଚିତ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ଭାବେ ଘୋଷଣା କରିଦେବୁ।

ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ଓଡ଼ିଶାରେ ବାଲ୍ୟ ବିବାହ ମୁକ୍ତ ପାଇଁ କାର୍ଯ୍ୟ କରୁଥିବା ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ଅଂଶୀଦାର ସଂଗଠନମାନଙ୍କ କାର୍ଯ୍ୟକୁ ଭୁୟସି ପ୍ରଶଂସା କରି ଶ୍ରୀମତୀ ପାଢ଼ୀ କହିଲେ ସ୍ବେଚ୍ଛାସେବୀ ସଂଗଠନ, ସ୍କୁଲ, କଲେଜ ଓ ସାଧାରଣ ଜନତାଙ୍କ ସହିତ ଓଡିଶା ସରକାର ବାଲ୍ୟ ବିବାହ ମୁକ୍ତ ଓଡିଶା ପାଇଁ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସରକାର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ହଷ୍ଟେଲର ୱାଡେନମାନଙ୍କୁ ବାଲ୍ୟ ବିବାହ ନିରୋଧ ଅଧିକାରୀ ଭାବେ ଘୋଷଣା କରିବା ସଂଗେ ସଂଗେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଭଳି ଲୋକାଭିମୁଖୀ ଯୋଜନା ଘୋଷଣା କରି ବାଲ୍ୟ ବିବାହ ରୋକିବାକୁ ପ୍ରୟାସ କରିଛନ୍ତି। ଜିଲ୍ଲାସ୍ତରରେ ମଧ୍ୟ ସରକାର ବାଲ୍ୟ ଵିଵାହ ମୁକ୍ତ ଗ୍ରାମ ଘୋଷଣା ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ଆଜିର କାଯ୍ୟକ୍ରମରେ ସମ୍ମାନୀତ ଅତୀଥିଭାବେ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର କହିଲେ ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାର ଓ ରୁଚିକା ଭଳି ଅନେକ ସ୍ବେଚ୍ଛାସେବୀ ସଂଗଠନ ଅହରହ କାର୍ଯ୍ୟ କରୁଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଭାରତରେ ୨୩ଭାଗ ପିଲା ବିବାହ ବୟସ ପୂର୍ବରୁ ବାହା ହେଉଥିବା ବେଳେ ଓଡ଼ିଶାରେ ଏହି ହାର ଶତକଡ଼ା ୨୦ଭାଗ । କିନ୍ତୁ ଓଡ଼ିଶାର ପ୍ରାୟ ୧୧ଟି ଜିଲ୍ଲା ଜାତୀୟ ହାରର ଉର୍ଦ୍ଧ୍ବରେ ଅଛନ୍ତି। ତେଣୁ ପିଲାମାନଙ୍କ ଉପରେ ହେଉଥିବା ଏହି ଅପରାଧର ମୂଳଉତ୍ପାଟନ କରିବାକୁ ହେଲେ ଆମେ ସମସ୍ତେ ଗୋଷ୍ଠୀ ସ୍ତରରେ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ।

ବିଶ୍ୱକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଥିବା ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ଆଲାଏନସର ସିନିୟର ଆଡ଼ଭାଇଜର ଡ଼ଃ ଜ୍ୟୋତି ମାଥୁର କହିଲେ ବର୍ତ୍ତମାନ ଭାରତବର୍ଷରେ ୨୫୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହିତ ମିଶି ଏହି ଆଲାଏନସ ମିଶି ୪୦୦ରୁ ଉର୍ଦ୍ଧ୍ବ ଜିଲ୍ଲାରେ ଓ ଓଡ଼ିଶାର ୧୩ଟି ସଂଗଠନ ସହିତ ମିଶି ୨୮ଟି ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ କାର୍ଯ୍ୟ କରୁଛି।

ଆଜିର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରି ରୁଚିକା ସମାଜ ମଙ୍ଗଳ ସଂଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ବେଣୁଧର ସେନାପତି କହିଲେ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନର ଅଂଶୀଦାର ଭାବରେ ରୁଚିକା ଖୋରଧା, ପୁରୀ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ, ଜିଲ୍ଲା ପ୍ରଶାସନ ସହାୟତାରେ ବାଲ୍ୟ ବିବାହ ମୁକ୍ତ ପାଇଁ କାର୍ଯ୍ୟ କରି ଗତ ୩ବର୍ଷ ମଧ୍ୟରେ ଜିଲ୍ଲା ପ୍ରଶାସନ ସହାୟତାରେ ୧୨ଲକ୍ଷ ଲୋକଙ୍କୁ ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ଶପଥ ପାଠ କରାଇବା ସଂଗେ ସଂଗେ ୪୫୦ଗ୍ରାମ ଓ ୩୦୦ରୁ ଉର୍ଦ୍ଧ୍ବ ଧର୍ମାନୁଷ୍ଠାନମାନଙ୍କୁ ବାଲ୍ୟ ବିବାହ ମୁକ୍ତ କରିପାରିଛି ଓ ୫୫୦୦ ବାଲ୍ୟ ବିବାହ ରୋକିବାରେ ସକ୍ଷମ ହୋଇଛି।

ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ମୁକ୍ତ ଭାରତ ପୋଷ୍ଟର ଉନ୍ମୋଚନ ହୋଇଥିଲା ଓ ଉପସ୍ଥିତ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ମହିଳାକର୍ମୀଙ୍କୁ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ମୁଖ୍ୟ ଅତିଥି ଶପଥ ପାଠ କରାଇ ଥିଲେ। ମହିଳାମାନଙ୍କ ଶୋଭାଯାତ୍ରା ଓ ପାଞ୍ଚଟି ବାଲ୍ୟ ବିବାହ ମୁକ୍ତ ଭାରତ ରଥ ସହର ପରିକ୍ରମା ପାଇଁ ମୁଖ୍ୟ ଅତିଥୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ସଂଗଠନ ସମ୍ପାଦକ ଉମା ଶଙ୍କର ଷଡଙ୍ଗୀ ଓ ଧନ୍ୟବାଦ ଦେଇଥିଲେ ସଂଗଠନର ସହ ସମ୍ପାଦକ ଘାସିରାମ ପଣ୍ଡା । ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଜଷ୍ଟ ରାଇଟସର ବାଲ୍ୟ ବିବାହ ମୁକ୍ତ ଭାରତ ଆବାହକ ବିଧାନ ଚନ୍ଦ୍ର ସିଂହ, ଶିଶୁ ଅଧିକାର କମିଶନର ସଦସ୍ୟା ମନସ୍ମିତା ଖୁଣ୍ଟିଆ, କସ୍ତୁରୀ ମିଶ୍ର, ସୁଜାତା ନାୟକ, ଚନ୍ଦନା ଦାସ, ଖୋରଧା ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ସୌଦାମିନୀ ଦାସ ଓ ନଳିନୀ ପ୍ରଭା ଗିରି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ବାଗ୍ମୀଶ୍ରୀ ଦାଶ, ସଦସ୍ୟା ରତନା ମଞ୍ଜରୀ ବେହୁରା।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୁଚିକା ସଂଗଠନର ନିର୍ଦ୍ଦେଶକ ରାମେଶ୍ୱରୀ ପ୍ରସାଦ ଦିବେଦୀ, ହେମନ୍ତ କୁମାର ସାହୁ, ସଂଯୋଜିକା ଶିବାନୀ ନାୟକ। ମୂଖ୍ୟ ଅତିଥି ଶ୍ରୀମତୀ ପାଢ଼ୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ବାଲ୍ୟ ବିବାହ ଭାରତ ରଥ ଖୋରଧା ଜିଲ୍ଲା ତଥା ଭୁବନେଶ୍ୱରର ବିଭିନ୍ନ ଗ୍ରାମ ଓ ସହରାଞ୍ଚଳ ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପହଞ୍ଚି ଲୋକମାନଙ୍କୁ ସଚେତନ କରାଇବ।

ବିଏମସି ନ୍ୟୁଜ୍ ଓଡ଼ିଶା ।



