ବଲାଙ୍ଗିର ; ତା-୨୮/୦୩ (ବିଏମସି ଟିଭି ଓଡ଼ିଆ)
ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସହରବାସୀଙ୍କୁ ଶୁଦ୍ଧ ଓ ଶୀତଳ ପାନୀୟ ଜଳ ଯୋଗାଇଦେବା ପାଇଁ ‘ସହଯୋଗ ଫାଉଣ୍ଡେସନ’ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟାରେ ସହରର ଟାଉନ ପୋଲିସ୍ ଷ୍ଟେସନ୍ ପ୍ରାଙ୍ଗଣରେ ଶୀତଳ ଧାରା – ର ଭବ୍ୟ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍.ଡି.ପି.ଓ. ସରୋଜ ଉପାଧ୍ୟାୟ ଏବଂ ବିଶିଷ୍ଟ ଅତିଥି ଭାବେ ଟାଉନ ଥାନା ଆଇ.ଆଇ.ସି. ଅବନୀ ସାହୁ ଉପସ୍ଥିତ ରହି ସଂସ୍ଥାର ଏହି ମାନବୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।

ଅତିଥିମାନେ ସେମାନଙ୍କ ଅଭିଭାଷଣରେ କହିଥିଲେ ଯେ, ଖରାଦିନେ ପଥଚାରୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ପାଣି ମୁନ୍ଦେ ଯୋଗାଇଦେବା ସବୁଠାରୁ ବଡ଼ ପୁଣ୍ୟ କାମ।
“ଶୀତଳ ଧାରା” ପରିଯୋଜନା ମାଧ୍ୟମରେ ସହରର ବ୍ୟସ୍ତବହୁଳ ଅଞ୍ଚଳରେ ଯାତାୟାତ କରୁଥିବା ପଥଚାରୀ, ଗରିବ ଶ୍ରମିକ ଓ ସାଧାରଣ ଜନତାଙ୍କୁ ମାଗଣାରେ ସ୍ୱଚ୍ଛ ଏବଂ ଥଣ୍ଡା ପାଣି ଯୋଗାଇ ଦିଆଯିବ। ଏହା ଦ୍ୱାରା ପ୍ରଖର ଖରାରେ ଲୋକେ କିଛିଟା ଆଶ୍ୱସ୍ତି ପାଇପାରିବେ।

ଏହି ଅବସରରେ ସଂସ୍ଥାର କର୍ମକର୍ତ୍ତାମାନେ ସହଯୋଗ ଫାଉଣ୍ଡେସନର ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଲାଇନ୍ସ କ୍ଲବ୍ , ମାରୱାଡ଼ି ସମ୍ମେଳନ, ମାରୱାଡ଼ି ମହିଳା ସମିତିର ସଦସ୍ୟାଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ ଓ ମିଡିଆ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଶେଷରେ ସଂସ୍ଥାର କର୍ମକର୍ତ୍ତାମାନେ ଉପସ୍ଥିତ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡି଼ଶା ।


