ବୋଲଗଡ ; ତା-୧୨/୧୨ (ବିଏମସି ଟିଭି ଓଡ଼ିଆ )
ବୋଲଗଡ ଶିକ୍ଷା ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂପୁର ସ୍ଥିତ ଚତୃଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ଏବଂ ଖେଳ ଶିକ୍ଷକ ଅଂଶୁମାନ ଧଳ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଅଛି । ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଉଦ୍ଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ବୋଲଗଡ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟବକ୍ତାଭାବେ ସରପଞ୍ଚ ଜଳଧର ମହାନ୍ତି ଓ ସମ୍ମାନିତ ଅତିଥିଭାବେ ସ୍କୁଲ ପରିଚାଳନା କମିଟିର ସଭା ନେତ୍ରୀ ବିନୋଦିନୀ ଦତ୍ତ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭୁ ପ୍ରସାଦ ମହାପାତ୍ର,ବରିଷ୍ଠ ସାମ୍ବାଦିକ ପାଣ୍ଡଵ ସାହୁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଧୂପ,ଦୀପ ଦେଇ ଏହାକୁ ଶୁଭଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ସ୍ୱାଗତ ଭାଷଣ ଦେଇ ଶରୀର ପାଇଁ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ କ୍ରୀଡ଼ାକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଭାବରେ ସମୟାନୁବର୍ତ୍ତିତା ହୋଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ନ ଭୁଲିଯାଇ ସମ୍ମାନ ପ୍ରଦର୍ଶନ କରିବାକୁ ମୁଖ୍ୟ ଅତିଥି ପ୍ରମୋଦ କୁମାର ସ୍ୱାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଶାରୀରିକ କ୍ରୀଡ଼ା ଦ୍ୱାରା ସମସ୍ତେ ସୁସ୍ଥ ଓ ନୀରୋଗ ରହିପାରିବେ ବୋଲି ମୁଖ୍ୟବକ୍ତା ସରପଞ୍ଚ ଜଳଧର ମହାନ୍ତି ସୂଚନା ପ୍ରଦାନ କରିଥିଲେ । ଖେଳ କୁଦରେ ସମସ୍ତ ଛାତ୍ର ଛାତ୍ରୀମାନେ ଖେଳୁଆଡ଼ ମନୋବୃତି ନେଇ ଓ ହାର ଜିତ କୁ ଭୁଲି ଯାଇ କ୍ରୀଡ଼ା ପ୍ରଦର୍ଶନ କରିବା ଉଚିତ ବୋଲି ସମ୍ମାନିତ ଅତିଥି ପାଣ୍ଡଵ ସାହୁ ମତପ୍ରକାଶ କରିଥିଲେ ।

ସମସ୍ତ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ୫୦ମିଟର,୧୦୦ମିଟର,୨୦୦ମିଟର,ଦୌଡ଼, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ମ୍ୟୁଜିକ ଚେୟାର,ଶଟ ଫୁଟ ଥ୍ରୋ,ଧୀର ସାଇକେଲ ଚାଳନା,ଅଙ୍କ ଦୌଡ଼,ଗୋଲି ଦୌଡ଼,ପୁଚି ଇତ୍ୟାଦି କ୍ରୀଡ଼ା ପ୍ରତିଯୋଗିତା ମାନ ଖେଳ ଶିକ୍ଷକ ଅଂଶୁମାନ ଧଳଙ୍କ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସମସ୍ତ କ୍ରୀଡ଼ା ପ୍ରତିଯୋଗୀତା ଗୁଡ଼ିକୁ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ,ଦିପ୍ତୀରଞ୍ଜନ ଦାଶ,ସୌଦାମିନୀ ପରିଡ଼ା,ଶ୍ରୋତାଲିନ ସାହୁ,ନମିତା ସାହୁ,ଅର୍ଚନା ଖଟୁଆ ଓ ଶିକ୍ଷକ ଦୀପକ କୁମାର ବେହେରା ପ୍ରମୁଖ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ । ଏହି ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ୨ଦିନ ଧରି ଅନୁଷ୍ଠିତ ହେବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ସୂଚନା ପ୍ରଦାନ କରିଅଛିନ୍ତି । ପରିଶେଷରେ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ୍ ଓଡ଼ିଶା ।


