ଖୋଦ୍ଧା /ବୋଲଗଡ଼ ; ତା-୧୭/୦୫ ( ବିଏମସି ଟିଭି ଓଡ଼ିଆ)
ଖୋରଧା ଜିଲା ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ବିଜେପି ଦଳୀୟ କନ୍ଦଳ ତୁଟୁନି। ଏଠାରେ ଭିନ୍ନଭିନ୍ନ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ତୃଣମୂଳସ୍ତରରେ କର୍ମୀମାନେ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ୨୦୨୪ ନିର୍ବାଚନ ପରାଜୟ ପରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳି ଏଠାରେ ସଂଗଠନ ଦାୟିତ୍ବ ତୁଲାଉ ଥିବାବେଳେ ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତିଙ୍କ ସକ୍ରିୟତା ଦଳ ମଧ୍ୟରେ କନ୍ଦଳ ସୃଷ୍ଟି କରିଛି। ୨୦୧୪ ସାଧାରଣ ନିର୍ବାଚନରେ ଶ୍ରୀ ମହାନ୍ତି ବିଜେପି ପ୍ରାର୍ଥୀ ଭାବେ ବେଗୁନିଆ-ବୋଲଗଡ଼ ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ୧୦,୬୧୧ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟପକ୍ଷରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସ୍ଥାନୀୟ ନେତାଙ୍କ ମଧ୍ୟରେ ଥିବା ବିରୋଧାଭାସ ଯୋଗୁଁ କେହି କାହା ସଭାରେ ଯୋଗ ଦେଉନାହାନ୍ତି। ଏପରିକି ଆଜି ଯାଏଁ ବିଜେପିର ଆଗଧାଡ଼ିର ନେତାମାନେ ଗୋଟିଏ ମଞ୍ଚରେ ବସିବାର କେହି ଦେଖିନାହାନ୍ତି। ଯାହାକି ପାର୍ଟି ମଧ୍ୟରେ ସବୁକିଛି ଠିକ୍ ଚାଲିନି ବୋଲି ରାଜନୈତିକ ବାର୍ତ୍ତା ଦେଉଛି।

ଖୋରଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ୨୦୧୪ରୁ ୨୦୧୯ ମଧ୍ୟରେ ବେଗୁନିଆରୁ ବିଧାୟକ ଭାବେ ପ୍ରତିନିଧିତ୍ବ କରିଥିଲେ। ତାଙ୍କର ଏହି ନିର୍ବାଚନମଣ୍ଡଳୀରେ କିଛି ପ୍ରଭାବ ରହିଛି। ଶ୍ରୀ ଜଗଦ୍ଦେବ ଏବେବି ବେଗୁନିଆ-ବୋଲଗଡ଼ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ବିଜେପି ତରଫରୁ ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀର ୬ଟି ଜିଲା ପରିଷଦ ଜୋନର ୬ ମଣ୍ଡଳ ସଭାପତିଙ୍କ ନାଁ ଘୋଷଣା ହୋଇଛି। ଏହି ଘୋଷଣାର ୨ ମାସ ପୂର୍ବରୁ ଏକ ଚିଠି ପ୍ରଘଟ ହୋଇଥିଲା। ସେ ସମୟରେ ନିର୍ବାଚନମଣ୍ଡଳୀର ଅନ୍ୟ ୨ ଗୋଷ୍ଠୀ ଏହାର ବିରୋଧ କରିଥିଲେ। ଏପରିକି କିଛି ଆଗଧାଡ଼ିର କର୍ମୀ ସାମାଜିକ ଗଣମାଧ୍ୟମରେ ବିଜେପି ଜିଲା ସଭାପତି ବିଶ୍ବରଞ୍ଜନ ବଡ଼ଜେନାଙ୍କୁ ଆକ୍ଷେପ କରିବାକୁ ପଛାଇ ନଥିଲେ। ନବନିଯୁକ୍ତ ମଣ୍ଡଳ ସଭାପତିମାନଙ୍କୁ ବିଜେପିର ଏକାଧିକ ଆଶାୟୀ ବିଧାୟକ ପ୍ରାର୍ଥୀ ସାମାଜିକ ଗଣମାଧ୍ୟମ କିମ୍ବା ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ମଧ୍ୟ ଜଣାଇନାହାନ୍ତି। ସମସ୍ତ ମଣ୍ଡଳ ସଭାପତି ଖୋରଧା ବିଧାୟକ ପ୍ରଶାନ୍ତ ଓ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଅନୁଗତ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏଠାରେ ଯତୀନ ମହାନ୍ତି ଓ ପ୍ରକାଶ ଚନ୍ଦ୍ର ବିଜୁଳି ସବୁ ମଣ୍ଡଳରେ ନିଜ ସମର୍ଥକଙ୍କ ନାମକୁ ସୁପାରିସ କରିଥିଲେ ମଧ୍ୟ କାହାରି ନାମରେ ମୋହର ଲାଗିନି।

ପ୍ରକାଶ ରଣବିଜୁଳି ୨୦୨୪ ନିର୍ବାଚନରେ ୪୩,୧୫୦ ଖଣ୍ଡ ଭୋଟ୍ ପାଇଥିଲେ। ନିର୍ବାଚନ ହାରିବା ପରେ ସେ ଦଳୀୟ ସଂଗଠନରେ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ସ୍ଥାନୀୟ ସଂଗଠନରେ ଦଳୀୟ ଅନ୍ତର୍ଦ୍ବନ୍ଦ୍ବ ପାଇଁ ଯତୀନ ମହାନ୍ତିଙ୍କୁ ଦାୟୀ କରୁଛି ପ୍ରକାଶଙ୍କ ଗୋଷ୍ଠୀ। ସ୍ଥାନୀୟ ବିଜେପି ନେତା ଓ ଜନପ୍ରତିନିଧିଙ୍କୁ ବୋଲଗଡ଼ ବିଡିଓଙ୍କ ଦ୍ବାରା ଅସମ୍ମାନିତ କରାଯିବା ପଛରେ ଶ୍ରୀ ମହାନ୍ତିଙ୍କ ଗୋଷ୍ଠୀର ହାତ ଥିବା ପ୍ରକାଶଙ୍କ ସମର୍ଥକ ଅଭିଯୋଗ କରୁଛନ୍ତି। ଅପରପକ୍ଷେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପାଇଁ ଶ୍ରୀ ମହାନ୍ତିଙ୍କ ମୋଟରସାଇକଲ ଶୋଭାଯାତ୍ରା ଶ୍ରୀ ବିଜୁଳିଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ଏହି ଗୁରୁତ୍ବପୂର୍ଣ୍ଣ ନିର୍ବାଚନମଣ୍ଡଳୀରେ ପ୍ରକାଶ-ଯତୀନ-ପ୍ରଶାନ୍ତଙ୍କ ମଧ୍ୟରେ ଛକାପଞ୍ଝା, ସ୍ଥାନୀୟ ବିଜେପି ନେତା ମାନସ କୁମାର ବେହେରାଙ୍କ ସକ୍ରିୟତା ଏବଂ ଭୁବନେଶ୍ବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନିରବତା ବେଗୁନିଆ-ବୋଲଗଡ଼ ଅଞ୍ଚଳରେ ବିଜେପି ରାଜନୀତିକୁ ଗୋଳମାଳିଆ କରିଦେଇଛି। ବିଜେପି ନେତା ଶ୍ରୀ ବିଜୁଳି କହିଛନ୍ତି, ସରକାର ଆସିଛି ବୋଲି କେହି ନିଜକୁ ନେତା ବୋଲାଇଲେ ହେବନି। ଏଠାରେ ମାଟିର ପୁଅ ହିଁ ଲଢ଼ିବ। ଆଗାମୀ ଦିନରେ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁଙ୍କ ସହ ମୋର ସିଧାସଳଖ ଲଢ଼େଇ ହେବ। ବିଜେପି ରାଜ୍ୟ ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି, ନବନିଯୁକ୍ତ ମଣ୍ଡଳ ସଭାପତିମାନଙ୍କୁ ଶୁଭେଚ୍ଛା। ଦଳର ଆଗଧାଡ଼ିର ନେତାମାନେ ଏକାଠି ବସି ମତଭେଦ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ୍। ବର୍ତ୍ତମାନ ସଂଗଠନକୁ ମଜଭୁତ କରିବା ଆମର ଲକ୍ଷ୍ୟ।

ବିଏମସି ନ୍ଯୁଜ୍ ଓଡ଼ିଶା ।



