ସମ୍ବଲପୁର ; ତା.୨୭/୦୫ (ବିଏମସି ଟିଭି ଓଡିଆ)
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (ଇଜେଡ୍ସିସି)ର ଗଭର୍ଣିଙ୍ଗ୍ ବୋର୍ଡର କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ସମ୍ବଲପୁରର ଲୋକପ୍ରିୟ ଲୋକନୃତ୍ୟ ଗୁରୁ ରଞ୍ଜନ ସାହୁ। ସୂଚନାଯୋଗ୍ୟ ଯେ ସେ ଓଡିଶାରୁ ପ୍ରତିନିଧିତ୍ୱ କରିବେ। ଏହି ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ନଅ ଜଣ ସଦସ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହୋଇଥା’ନ୍ତି। ପ୍ରକାଶଯୋଗ୍ୟ ଯେ ଶ୍ରୀ ସାହୁ ଯୁବାବସ୍ଥାରୁ ସମ୍ବଲପୁରୀ ଲୋକନୃତ୍ୟ ଓ ଲୋକବାଦ୍ୟ ସହ ଯୋଡି ହୋଇ ଅଦ୍ୟାବଧି ରହିଛନ୍ତି।ପ୍ରାରମ୍ଭରେ ଲୋକବାଦ୍ୟ ସହ ଜଡିତ ହୋଇ ଜବାନ କ୍ଲବ ସହ ଜଡିତ ଥିଲେ। ପରବର୍ତ୍ତୀ ଅବସ୍ଥାରେ ସମ୍ବଲପୁରୀ ଲୋକନୃତ୍ୟ ସଂସ୍ଥା ଓ ଉକିଆ ପରି ସଂସ୍ଥା ଗଢି ଲୋକନୃତ୍ୟ ପାଇଁ କାର୍ଯ୍ୟ କରିଆସିଛନ୍ତି। ତାଙ୍କରି ଏହି ଲୋକାନୃତ୍ୟ ସହ ଜୀବନ ଯାତ୍ରାରେ ହଜାର ହଜାର ଲୋକାନୃତ୍ୟ ଶିଳ୍ପୀଙ୍କୁ ଗଢିଛନ୍ତି। ଆକାଶବାଣୀ ଓ ଦୂରଦର୍ଶନ ସହ ଜଡିତ ହୋଇ ଶତାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ସାହୁ ସମ୍ବଲପୁରୀ ଲୋକନୃତ୍ୟକୁ ନେଇ ରାଜ୍ୟ, ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରି ନିଜର ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି। ଶ୍ରୀ ସାହୁ ବର୍ତ୍ତମାନ ଓଡିଶା ସଙ୍ଗୀତ ନାଟକ ଏକାଡେମୀରେ ରାଜ୍ୟ ପରିଷଦରେ ସଦସ୍ୟ ଭାବେ ମଧ୍ୟ୍ୟ ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି। ତାଙ୍କର ଏହି ଇଜେଡ୍ସିସି। ସଦସ୍ୟ ଭାବେ ମନୋନୀତ ହେଲା ପରେ ସମ୍ବଲପୁର ସହରର କଳାପ୍ରେମୀଙ୍କ ମନରେ ଖୁସିର ତରଙ୍ଗ ଖେଳିଯାଇଛି। ଶ୍ରୀ ସାହୁଙ୍କର ଏହି ଦାୟିତ୍ୱ ଦ୍ୱାରା ଲୋକକଳା ନିଶ୍ଚିତ ଭାବରେ ଆଗକୁ ବଢିବା ସହ ଲୁକ୍କାୟିତ ଲୋକକଳାକୁ ମଧ୍ୟ ଲୋକଲୋଚନକୁ ଆସିପାରିବ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


