ନୂଆବଗ,ହିନ୍ଦୋଳ,ଢେଙ୍କାନାଳ; ତା – ୨୪/୦୩ ( ବିଏମସି ଟିଭି ଓଡ଼ିଆ )
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗାଁରେ ଗତକାଲି ତା ୨୩/୦୩/୨୦୨୬ , ସୋମବାର ଦିନ ଅପରାହ୍ନ ପ୍ରାୟ ତିନି ଘଟିକା ସମୟ ରେ ଅଗ୍ନିକାଣ୍ଡ ଘଟି ସର୍ବସ୍ବlନ୍ତ ହୋଇଯାଇଛନ୍ତି ସାତଟି ପରିବାର । ଏହି ଗ୍ରାମର ସାତଟି ପରିବାରର ମୋଟ ୧୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ରାସୋଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ପାଇଁ ଘରର ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଜଳି ନଷ୍ଟ ହୋଇଯାଇ ଥିବାବେଳେ ଗୁହାଳରେ ବନ୍ଧା ଯାଇଥିବା ଏକ ବାଛୁରୀ ମଧ୍ୟ ଜୀବନ୍ତ ପୋଡ଼ିଯାଇଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତେବେ ଅଦ୍ୟାବଧି ସରକାରଙ୍କ ତରଫରୁ କୌଣସି ସହାୟତା ମିଳି ନଥିବା ବେଳେ ନୂଆବଗ ପଞ୍ଚାୟତ ର ସରପଞ୍ଚ ମାନସ ଦେହୁରୀ ଅଗ୍ନି ବିପନ୍ନ ପରିବାର ପାଇଁ ତିନି ଦିନ ର ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି । ତତ୍ ସହିତ ଏଭଳି ମହାବିପତ୍ତି ରେ ପଡ଼ିଥିବା ଲୋକ ମାନଙ୍କୁ ଆଞ୍ଚଳିକ ସ୍ତରରେ ଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହୃଦୟ ବ୍ୟକ୍ତି ବିଶେଷ ମାନଙ୍କୁ ସହାୟତା ର ହାତ ବଢ଼ାଇବା କୁ ଅନୁରୋଧ ରଖିବା ସହିତ ସରକାରଙ୍କୁ ତ୍ୱରିତ ପଦକ୍ଷେପ ପୂର୍ବକ ଆବାସ ଯୋଜନା ରେ ଘର ଯୋଗାଇ ଦେବା ସହିତ ଆନୁଷଙ୍ଗିକ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ ରଖିଛନ୍ତି ।

ତେବେ ନୂଆବଗ ଗାଁରେ ଅଗ୍ନିକାଣ୍ଡ ଘଟି ସର୍ବସ୍ବlନ୍ତ ହୋଇଥିବା ପରିବାରଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ । ଏଭଳି ହୃଦୟ ବିଦାରକ ଘଟଣା ସମ୍ପର୍କରେ ଖବର ପାଇ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ଏବଂ ସମସ୍ତ ପରିବାରକୁ ଶୁଖିଲା ଖାଦ୍ୟ ପୁଡିଆ , ମହିଳା ଓ ପୁରୁଷ ଲୋକମାନଙ୍କୁ ବସ୍ତ୍ର , କମ୍ବଳ ଆଦି ପ୍ରଦାନ କରିଥିଲେ ।

ତେବେ ଗ୍ରାମର ନରିଆ ବିଶ୍ୱାଳ , ଗୋଲେଖ ବିଶ୍ୱାଳ , ଗlଣ୍ଡୁ ବିଶ୍ୱାଳ , ଦିବାକର ବିଶ୍ୱାଳ , ସୁବାସ ବିଶ୍ୱାଳ , ସିପୁନ ବିଶ୍ୱାଳ , ଭାସ୍କର ପ୍ରଧାନ , ପ୍ରକାଶ ପ୍ରଧାନ , ପ୍ରମୋଦ ପ୍ରଧାନ ପ୍ରମୁଖଙ୍କ ଘର ପୋଡି ଯାଇ ସର୍ବସ୍ୱାନ୍ତ ହୋଇଯାଇଥିବାବେଳେ ସମ୍ପୃକ୍ତ କ୍ଷତିଗ୍ରସ୍ତ ମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା , କ୍ଷତିପୂରଣ ଏବଂ ପକ୍କା ଘର ଯୋଗାଇଦେବା ପାଇଁ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ମଧ୍ୟ ଦାବି କରିଛନ୍ତି ।

ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁଙ୍କ ସହ ହିନ୍ଦୋଳ ବ୍ଲକ ବିଜେଡି ସଭାପତି ଦେବୀପ୍ରସାଦ ପଟ୍ଟନାୟକ , ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଅଗ୍ନି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ ।
ହିନ୍ଦୋଳ ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


