ସମ୍ବଲପୁର / କୁଚିଣ୍ଡା ; ତା – ୨୫/୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )
କୁଚିଣ୍ଡା ଉପକଣ୍ଠ ସାତକମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବେଶ୍ ଶୋକାକୁଳ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁରଭି ନାୟକଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷକ କୋଶଳେଶ୍ୱର ଖର୍ସେଲଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା କରିବା ସହିତ ଗ୍ରୀଷ୍ମ ଛୁଟି ଓ ପ୍ରତ୍ୟେକ ରବିବାରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ମାତ୍ର ଏକଟଙ୍କା ବିନିମୟରେ ବିଦାୟୀ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ କୋଚିଂ ଦିଆଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟବକ୍ତା ଭାବରେ ସହକାରୀ ଶିକ୍ଷୟତ୍ରୀ ଜସ୍ପିତ୍ କୌର ଯୋଗଦେଇ ନାରୀ ଶିକ୍ଷାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଗୁଦ୍ଗୁଦା ସାହିତ୍ୟ ସଂସଦର ସମ୍ପାଦକ ବନମାଳୀ ନାମଦେଓ ଯୋଗଦାନ କରି ପିତାମାତାଙ୍କୁ ସମସ୍ତେ ସମ୍ମାନ ଦେବା ଉଚିତ୍ ବୋଲି କହିଥିଲେ ।

ଛାତ୍ରୀ ଲିଲିନା ରୋହିଦାସ ଓ ପଙ୍କଜିନୀ ରୋହିଦାସ ସଙ୍ଗୀତ ମାଧ୍ୟମରେ ବିଦାୟ ଦେଇଥିବା ବେଳେ ବିଦାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସୁଶ୍ରୀତା ପରୁଆ , ରଞ୍ଜିତା ସାହୁ , ସୁରେଖା ବୁଡା , ଧରିତ୍ରୀ ଦେହୁରୀ ପ୍ରମୁଖ ଭାଷଣ ଦେଇ ସ୍କୁଲ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ସମସ୍ତ ବିଦାୟୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ପୁସ୍ତକ ପ୍ରଦାନ କରି ବିଦାୟ ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ପଠାଣି ସାମନ୍ତ ବୃତ୍ତି ପାଇବାକୁ ଚୟନ ହୋଇଥିବା ଛାତ୍ରୀ ବିନ୍ଦିଆୟ ସାହୁ ଓ ପ୍ରକୃତି ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସହକାରୀ ଶିକ୍ଷକ ବୈଦ୍ୟନାଥ ଷଣ୍ଢ ସ୍ଵାଗତ ଭାଷଣ , ବରିଷ୍ଠ ଶିକ୍ଷକ କୋଶଳେଶ୍ୱର ଖର୍ସେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷୟିତ୍ରୀ ସ୍ନେହଲତା ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଏକାନ୍ତି ନାୟକ , ସଲୋନି ମାକର ଓ ସ୍ୱାତୀ ପଧାନଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି ବିଏମସି ନ୍ୟୁଜ୍ ଓଡି଼ଶା ।


