ବାଲିମେଳା ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ସମେତ ବାଲିମେଳା ସହରରେ ବିଭିନ୍ନ ସ୍ଥାନରେ ଥିବା ରାମ ଓ ହନୁମାନଙ୍କ ମନ୍ଦିରରେ ଶ୍ରୀରାମ ନବମୀ ଶୁକ୍ରବାର ଧୁମ ଧାମରେ ପାଳିତ ହୋଇଯାଇଛି । ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ତିଥି ପାଳନ ଅବସରରେ ବାଲିମେଳା ସହରର ଦୈନିକ ବଜାର କମିଟି ପକ୍ଷରୁ ଠିକାଦାର ସଂଘର ସଭାପତି ଅରୁଣ କୁମାର ପାତ୍ରଙ୍କ ତତ୍ୱାବଧାନରେ କମିଟିର ସଂଜୀବ କୁମାର ଦୋରା , ଚଗଲା ବିଶ୍ୱାଳ , ଦିଲୀପ କୁମାର ସ୍ୱାଇଁ , ସନ୍ତୋଷ ପାଣିଗ୍ରାହୀ , ଟୁଲୁ ପ୍ରଧାନ ଏବଂ ଅନ୍ୟ ସଦସ୍ୟ ମାନଙ୍କ ନେତୃତ୍ୱରେ ଶୁକ୍ରବାର ଦୈନିକ ବଜାର ଠାରେ ପ୍ରଭୁ ଶ୍ରୀରାମ , ଲକ୍ଷ୍ମଣ , ମାତା ସୀତା ଏବଂ ପବନପୁତ୍ର ହନୁମାନଙ୍କ ରୀତିନୀତି ଅନୁସାରେ ଅଭିଷେକ ସହ ହୋମଯଜ୍ଞ ଏବଂ ପୂଜାର୍ଚ୍ଚନା କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ବାଲିମେଳା ସହର ସମେତ ଆଖ ପାଖ ବିଭିନ୍ନ ଅଞ୍ଚଳରୁ ଶହ ଶହ ଭକ୍ତ ଯୋଗଦେଇ ଠାକୁରଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ ।

ଏହି କମିଟି ସଦସ୍ୟ ମାନଙ୍କ ପକ୍ଷରୁ ସନ୍ଧ୍ୟାରେ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର , ଶ୍ରୀ ଅରବିନ୍ଦ ବିଦ୍ୟାଳୟ ଏବଂ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର କୁନି କୁନି ଛାତ୍ରୀ ଛାତ୍ରମାନେ ବିଭିନ୍ନ ସୁସଜ୍ଜିତ ଗାଡ଼ିରେ ପ୍ରଭୁ ଶ୍ରୀରାମ , ଲକ୍ଷ୍ମଣ , ମାତା ସୀତା ଏବଂ ବିର ହନୁମାନଙ୍କ ଅବତାର ବେଶ ଧାରଣ କରିଥିଲେ।ଏଥିରେ ବହୁ ସଂଖ୍ୟାରେ ରାମ ଭକ୍ତ ଯୁବକ ଯୁବତୀ ଏବଂ ମହିଳାମାନେ ହାତରେ ପତାକା ଧରି ଜୟ ଶ୍ରୀରାମ ଧ୍ଵନି ଦେଇ ବାଲିମେଳା ସହର ପରିକ୍ରମା କରିଥିଲେ । ଏଥିରେ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଭରପୁର ସହଯୋଗ କରିଥିଲେ । ଏହି ଶୋଭାଯାତ୍ରା ଦେଖିବା ପାଇଁ ବାଲିମେଳା ସହରର ବିଭିନ୍ନ ଅଞ୍ଚଳରେ ଶତାଧିକ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ସେହିପରି ଏହି ଅବସରରେ ମାଉସୀମା ମନ୍ଦିର ସାହି କମିଟି ପକ୍ଷରୁ ଧୁମ ଧାମରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ରାମ ନବମୀରେ ହୋଇଥିବା ଭିଡକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ବାଲିମେଳା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।



