ଭୁବନେଶ୍ୱର; ତା-୧୧/୦୫ ( ବିଏମସି ଟିଭି ଓଡ଼ିଆ)
ଆଜି ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମଦିନକୁ ପ୍ରେରଣା ଦିବସ ଭାବେ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ ତାଙ୍କ ସ୍ମାରକୀ ଅଭିବ୍ୟକ୍ତିରେ କହିଲେ ଭବାନୀ ବାବୁ ଙ୍କ ଜୀବନ ଥିଲା ସେବା ଓ ସଦଭାବନାର ଅନନ୍ୟ ଉଦାହରଣ । ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟ ଥିଲା ଅହିଂସାର ନିଛକ ଅଭିବ୍ୟକ୍ତି । ସ୍ୱାଧୀନ ଭାରତର ଉତ୍ତରଦାୟାଦ ଭାବେ ସେବାମୟ ଜୀବନ ବଞ୍ଚିବା ନିମନ୍ତେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ ।

ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଓଡ଼ିଶା ଖଦୀ ବୋର୍ଡ ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ବରିଷ୍ଠ ଆଇନଜୀବୀ ସୁଧୀର ମହାନ୍ତି, ପୂର୍ବତନ ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁମିତ୍ରା ଜେନା, ଜାତୀୟ ଯୁବ ପ୍ରକଳ୍ପ ରାଜ୍ୟ ସଂଯୋଜକ ମଧୁସୂଦନ ଦାସ, ଆଶାଏଁ ଅନୁଷ୍ଠାନ ଅଧ୍ୟକ୍ଷ ରତ୍ନାକର ସାହୁ, ଭବାନୀ ପଟ୍ଟନାୟକଙ୍କ ଝିଅ ସଞ୍ଜୁକ୍ତା ମହାନ୍ତି ଓ ନାତୁଣୀ ଦେବୀକା ପଟ୍ଟନାୟକ ପ୍ରମୁଖ ଭବାନୀ ବାବୁଙ୍କ ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ। ଶ୍ରୀ ସୋମଙ୍କ ନେତୃତ୍ୱରେ କାର୍ଯକ୍ରମରେ ଉପସ୍ଥିତ ଯୁବ ପ୍ରତିଭା ମାନଙ୍କୁ ଶାନ୍ତି ଓ ସଦଭାବନାର ସହିତ ଦେଶ ଗଠନରେ “ଯୁବସମାଜ ଓ ପ୍ରେରଣା” ସମ୍ପର୍କିତ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇ ଥିଲା, ଯେଉଁଥିରେ ଯୁବକ ଯୁବତୀ ମାନେ ସେମାନଙ୍କର ମତାମତ ଉପସ୍ଥାପନ କରିବା ସହିତ ପ୍ରେରଣାର ଧାରା ବଳବତ୍ତର ରଖିବା ପାଇଁ ପ୍ରତିଜ୍ଞା କରିଥିଲେ । ଅତିଥିମାନଙ୍କୁ ଭବାନୀ ପଟ୍ଟନାୟକ ଫାଉଣ୍ଡେସନର ପରିଚାଳନା ଟ୍ରଷ୍ଟି ଡ. ବେଣୁଧର ସେନାପତି ସ୍ୱାଗତ କରିଥିବା ବେଳେ ଟ୍ରଷ୍ଟି ବିକ୍ରମ କେଶରୀ ନାୟକ, ହର ପ୍ରସାଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରୁଚିକା ସମାଜ ମଙ୍ଗଳ ସଂଗଠନ, ଆଶାଏଁ, ଜାତୀୟ ଯୁବ ପ୍ରକଳ୍ପ, ଜୀବନ ଜ୍ୟୋତି ଆଶ୍ରମ, ଶ୍ରୀଶ୍ରୀ ମା’ ଆନନ୍ଦ ଆଶ୍ରମ, ଅହିଂସା ବିଚାର ଫାଉଣ୍ଡେସନ, ଶୋଭନୀୟ ଶିକ୍ଷାଶ୍ରମ ଇତ୍ୟାଦିର କର୍ମୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅହିଂସା ବିଚାର ଫାଉଣ୍ଡେସନର ସଦସ୍ୟ ସଦସ୍ୟା ଗାନ୍ଧୀ ଓ ଦେଶାତ୍ମବୋଧକ ସଂଗୀତମାନ ପରିବେଷଣ କରିଥିଲେ ଯାହା ସମସ୍ତଙ୍କୁ ପ୍ରେରଣାର ଧାରା ସହିତ ଯୋଡ଼ିଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଯୁବକ ଯୁବତୀ ଯୋଗଦେଇ ଦେଶ ଗଠନ ପାଇଁ ଭବାନୀ ବାବୁଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରତିଜ୍ଞା କରିଥିଲେ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ର ଛାତ୍ରୀ ଦେଶାତ୍ମବୋଧକ ନୃତ୍ୟ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ।

ବ୍ୟୁରୋ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


