ବୋଲଗଡ଼, ତା-୧୩/୦୬ ( ବିଏମସି ଟିଭି ଓଡ଼ିଆ)

ବୋଲଗଡ଼ ବ୍ଲକ ଅଧୀନସ୍ଥ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ସାନପଦର ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ମଣ୍ଡଳ ସ୍ତରୀୟ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସମାରୋହ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚଗଡ଼ ସୃଜନଶୀଳ ସମିତିର ସମ୍ପାଦକ ସମ୍ବିତ କେଦାର କର, ସ୍ବାଧୀନତା ସଂଗ୍ରାମୀ ଦୁର୍ଗାଚରଣ ସେନାପତି , ସ୍ମୃତି ପରିଷଦର ସମ୍ପାଦିକା ଉଷାରାଣୀ ସେନାପତି ଏବଂ ଉଭୟ ଅନୁଷ୍ଠାନର ସଭାପତି ପ୍ରମୋଦ କୁମାର ସ୍ବାଇଁଙ୍କ ଆବାହକତ୍ୱରେ ତଥା ଉଭୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ. ନିରଞ୍ଜନ ମହାନ୍ତି , ଏବଂ ଶିକ୍ଷାବିତ କାଳୀଚରଣ ଜୟସିଂହ, ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡା. ମଧୁସୂଦନ ସେନାପତି, ଟାଙ୍ଗୀ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନ, ପରିବେଶବିତ ଧନେଶ୍ଵର ବିଧାର, ଶିଶୁ ନାଟ୍ୟକାର ଭିକାରି ଚରଣ ପ୍ରଧାନ, ଭୁବନେଶ୍ୱର ୟୁନିଟ-୧ସ୍ଥିତ ଶ୍ରୀ ମହାବୀର ବଣିକ ସଂଘର ସଭାପତି ଅକ୍ଷୟ କୁମାର ରଥ, କଟକ ଜିଲ୍ଲା ଧଳାପଥର ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ, ବୋଲଗଡ଼ ମଣ୍ଡଳ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା ଏବଂ ଭକ୍ତଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।

ଶିକ୍ଷକ ପ୍ରଫୁଲ୍ଲ ସିଂହ ସଭା ସଂଯୋଜନା କରିଥିଲେ । ଶିକ୍ଷକ ବିଜୟ କୁମାର ସାହୁ ଉପସ୍ଥିତ ବୋଲଗଡ ମଣ୍ଡଳ ଅନ୍ତର୍ଗତ ୧୯ ଗୋଟି ଗ୍ରାମପଞ୍ଚାୟତର ୨୪ ଜଣ ବରିଷ୍ଠ ନାଗରିକଙ୍କର ପଦଧୌତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା, ମୁଖ୍ୟ ବକ୍ତା ଶ୍ରୀମହାନ୍ତି ଏବଂ ସମ୍ମାନିତ ଅତିଥିମାନଙ୍କୁ ଶିକ୍ଷକ ଦୁର୍ଗା ପ୍ରସାଦ ସୁବୁଦ୍ଧିଙ୍କ ତତ୍ୱାବଧାନରେ ଡ୍ରମ ବାଦ୍ୟ ବଜାଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ପାଛୋଟି ନେଇଥିଲେ । ପିଚୁକୁଳି ସାଧନକେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ ।


ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ପ୍ରତି ପୁତ୍ରମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏବଂ ସମସ୍ତ ସମ୍ମାନିତ ଅତିଥି ଆଲୋକପାତ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ବୋଲଗଡ଼ ମଣ୍ଡଳର ସମସ୍ତ ପଞ୍ଚାୟତର ସମୁଦାୟ ୨୪ ଜଣ ବରିଷ୍ଠ ନାଗରିକଙ୍କୁ ଟ୍ରଫି, ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ପାଞ୍ଚଗଡ଼ ସୃଜନଶୀଳ ସମିତି, ସଂମ୍ପୁର ଏବଂ ସ୍ବାଧୀନତା ସଂଗ୍ରାମୀ ଦୁର୍ଗାଚରଣ ସେନାପତି ସ୍ମୃତି ସଂସଦର ସଭାପତି ତଥା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କୁ ସମସ୍ତ ଅତିଥି ଭୂୟସୀ ପ୍ରଶଂସା କରିଥିଲେ।

ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବଳ ଜେନା,ଚୈତନ୍ୟ ମହାରଣା, ତ୍ରିଲୋଚନ ସାହୁ, ପ୍ରଧାନ ଶିକ୍ଷକ ଭିକାରି ପୁଷ୍ଟି, ଶୈଲେନ ପଟ୍ଟନାୟକ, ଅରୁଣ ସାହୁ, କ୍ଷେତ୍ରମୋହନ ରଣା, ଶିକ୍ଷକ ଶିଶିର ରଞ୍ଜନ ମହାପାତ୍ର, ବସନ୍ତ କର, ସମାଜସେବିକା ଚନ୍ଦ୍ରକାନ୍ତି ପଟ୍ଟନାୟକ, ଶିକ୍ଷୟିତ୍ରୀ କଲ୍ୟାଣୀ ସାହୁ, ପ୍ରିୟଦର୍ଶିନୀ ମହାପାତ୍ର, ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ଏବଂ ପାଚିକା ଓ ସହାୟିକା ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶିକ୍ଷକ ବିଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ଯୁଜ୍ ଓଡ଼ିଶା ।



