ଭୁବନେଶ୍ୱର / ଖୋଦ୍ଧା ; ତା-୦୨/୦୯ ( ବିଏମସି ଟିଭି ଓଡ଼ିଆ)

ଆଜି ଅକ୍ଟୋବର ୨ତାରିଖ ଶୁକ୍ରବାର, ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ଏକ ହଜାର ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ସମସ୍ତ ପଞ୍ଚାୟତର ଗ୍ରାମସଭାରେ ରିଜୋଲ୍ୟୁସନ୍ ଗୃହୀତ ହୋଇଛି। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ବ୍ୟବସ୍ଥାର କର୍ମକର୍ତ୍ତା ଓ ରୁଚିକା ସମାଜ ମଙ୍ଗଳ ସଂଗଠନ, କଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ଭଳି ସାମାଜିକ ସଂଗଠନ ମିଳିତ ଭାବେ କାର୍ଯ୍ୟକରୁଛନ୍ତି । ଗତ ତା ୨୨.୦୯.୨୦୨୬ ତାରିଖରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ନେତୃତ୍ୱରେ ଆୟୋଜିତ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

ସେହି ନିଷ୍ପତି ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଦଶଟିଯାକ ବ୍ଲକ୍ ରେ ସମସ୍ତ ଗ୍ରାମ ପଞ୍ଚାୟତରେ ଗ୍ରାମ ସଭା କରାଯାଇ ଗତ ତା ୦୧.୦୧.୨୦୨୫ ରିଖ ଠାରୁ ବାଲ୍ୟ ବିବାହ ହୋଇନଥିବା ଗ୍ରାମ ମାନଙ୍କୁ ଚିହ୍ନଟ କରି ଅତି କମରେ ଜିଲ୍ଲାରେ ଏକ ହଜାର ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇ ବିଧିବଦ୍ଧ ଭାବେ ରିଜୋଲ୍ୟୁସନ୍ କରାଯାଇଛି। ଗ୍ରାମ ସଭାରେ ବାଲ୍ୟ ବିବାହ ମୁକ୍ତ ଘୋଷିତ ଗ୍ରାମ ମାନଙ୍କ ପାଇଁ ସାର୍ଟିଫିକେଟ ମଧ୍ୟ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଦ୍ଵାରା ସ୍ୱାକ୍ଷରିତ ହୋଇଯାଇଛି। ପରବର୍ତ୍ତୀ ଅବସ୍ଥାରେ ଏହି ସାର୍ଟିଫିକେଟ ଗୁଡ଼ିକ ବ୍ଲକ୍ ସ୍ତରରେ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳ ଙ୍କ ଦ୍ଵାରା ସ୍ୱାକ୍ଷରିତ ହେବାପରେ ଏହି ଏକ ହଜାର ଗ୍ରାମ ବାଲ୍ୟ ବିବାହ ମୁକ୍ତ ଗ୍ରାମର ମାନ୍ୟତା ଲାଭ କରିବେ।

ଆଜି ଖୋର୍ଦ୍ଧା ଜିଲ୍ଲା ପାଇଁ ଏକ ଐତିହାସିକ ଦିନ । ୨୦୩୦ ମସିହା ସୁଦ୍ଧା ଭାରତବର୍ଷ କୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆମ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସମୟ ସୀମାର ଅବ୍ୟବହିତ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପଞ୍ଚାୟତିରାଜ ବ୍ୟବସ୍ଥାର କର୍ମକର୍ତ୍ତା ଓ ସମସ୍ତ ସାମାଜିକ ସଂଗଠନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇବାକୁ ଜିଲ୍ଲାର ସମସ୍ତ ଜନସାଧାରଙ୍କୁ ଆହ୍ୱାନ ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ ପ୍ରହରାଜ।

ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସମୟରେ ପ୍ରାୟ ଶତକଡା ୧୪ ଭାଗ ପିଲା ବିବାହ ବୟସ ପୂର୍ବରୁ ବିବାହ କରୁଛନ୍ତି ବୋଲି ସଦ୍ୟ ପ୍ରକାଶିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଯଦି ଜିଲ୍ଲା ପ୍ରଶାସନ ସହିତ, ସ୍ବେଚ୍ଛାସେବୀ ସଂଗଠନ, ପଞ୍ଚାୟତରାଜ ବ୍ୟବସ୍ଥାର କର୍ମକର୍ତ୍ତା ଓ ଯୁବ ସମାଜ ଏକତ୍ର ହୋଇ କାର୍ଯ୍ୟ କରନ୍ତି ତେବେ ଜିଲ୍ଲା କୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଆଉ ବେଶିଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ର ସଦସ୍ୟ ରୁଚିକା ସମାଜ ମଙ୍ଗଳ ସଂଗଠନ ର ମୁଖ୍ୟ କାର୍ଯୟନିର୍ବାହୀ ଅଧିକାରୀ ଡ.ବେଣୁଧର ସେନାପତି କହିଛନ୍ତି।

କାର୍ଯକ୍ରମକୁ ପରିଚାଳନା କରିଥିଲେ ଖୋର୍ଦ୍ଧା ଜିଲ୍ଲା ସୁରକ୍ଷା ଅଧିକାରୀ ସୌଦାମିନୀ ଦାସ ଓ ରୁଚିକା ସଙ୍ଗଠନର ଜିଲ୍ଲା ସଂଯୋଜକ ଶିବାନୀ ନାୟକ । ଏହା ପ୍ରକାଶ ଯୋଗ୍ୟ ଯେ କଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ଆଲାଏନ୍ସ ଓ ଭାରତ ସରକାରଙ୍କ ମିଳିତ ପ୍ରୟାସ କ୍ରମେ ସମଗ୍ର ବିଶ୍ୱକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ନିକଟରେ ମିଳିତ ଜାତିସଂଘ ନଭେମ୍ବର ୨୭ ତାରିଖକୁ ଅନ୍ତର୍ଜାତୀୟ ବାଲ୍ୟ ବିବାହ ନିରୋଧ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛି।

ବିଏମସି ନିୟୁଜ ଓଡ଼ିଶା ।


