ସମ୍ବଲପୁର/ଗୋଡଭଗା:ତା ୧୪/୦୮ (ବିଏମସି ଟିଭି ଓଡିଆ)
ଆସନ୍ତା କାଲି ସମଗ୍ର ଦେଶରେ ୮୦ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ଗୋଡଭଗା ଠାରେ ଦେଶପ୍ରେମ, ଜାତୀୟତାବୋଧ ଓ ଦେଶର ଗୌରବମୟ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ନେଇ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଅନୁଷ୍ଠାନ ‘ସ୍ପନ୍ଦନ’ ପକ୍ଷରୁ ଆୟୋଜିତ ଏହି ଭବ୍ୟ ଶୋଭାଯାତ୍ରାରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଜନପ୍ରତିନିଧି ଓ ଜନସାଧାରଣ ସାମିଲ ହୋଇ ଦେଶପ୍ରେମର ଏକ ନିଆରା ପରିବେଶ ସୃଷ୍ଟି କରିଥିଲେ। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଯୁବ ସମାଜସେବୀ ସୁନୀଲ ମିଶ୍ରଙ୍କ ନେତୃତ୍ୱ ତଥା ତତ୍ତ୍ୱାବଧାନରେ ଆୟୋଜିତ ଏହି ଶୋଭାଯାତ୍ରାରେ ଗୋଡଭଗା କେମ୍ପ୍ ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ଅନୁଷ୍ଠିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସାରସ୍ୱତ ମହାବିଦ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରାର ଶୁଭାରମ୍ଭ ହୋଇ ଏହା ଗୋଡଭଗା ଛକର ବିଭିନ୍ନ ରାସ୍ତା ପରିକ୍ରମା କରିଥିଲା। ଛାତ୍ରଛାତ୍ରୀଙ୍କ ହାତରେ ଶୋଭିତ ତ୍ରିରଙ୍ଗା ପତାକା ଏବଂ ଦେଶପ୍ରେମଭରା ସ୍ଲୋଗାନରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଉଠିଥିଲା। ଶୋଭାଯାତ୍ରା ଯେଉଁ ରାସ୍ତା ଦେଇ ଯାଉଥିଲା, ସେଠାରେ ସାଧାରଣ ଲୋକେ ମଧ୍ୟ ଏହାକୁ ସ୍ୱାଗତ କରି ଦେଶପ୍ରେମର ଭାବନା ପ୍ରକାଶ କରିଥିଲେ। ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମନରେ ଦେଶମାତୃକା ପ୍ରତି ଭଲପାଇବା, ଜାତୀୟ ଏକତା ଓ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା। ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଦେଶର ଏକତା, ଅଖଣ୍ଡତା ଓ ଗୌରବର ପ୍ରତୀକ ବୋଲି ଏହି ଆୟୋଜନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଏହି ଶୋଭାଯାତ୍ରାକୁ ସୂଚାରୁ ରୂପେ ଓ ଶୃଙ୍ଖଳିତ ଭାବେ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ଓ ପୋଲିସ ପ୍ରଶାସନ ତଥା ସ୍ଥାନୀୟ ଜନସାଧାରଣଙ୍କୁ ସାମାଜିକ ଅନୁଷ୍ଠାନ ‘ସ୍ପନ୍ଦନ’ ପକ୍ଷରୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରାଯାଇଛି।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


