ସମ୍ବଲପୁର / ବରପାଲି ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତି ସମ୍ମାନ ସୂଚକ ଭାବେ ବରପାଲି ବସ୍ଷ୍ଟାଣ୍ଡ ନିକଟରେ ଏକ ପାର୍କ ସହିତ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ୨୦୧୫ – ୧୬ ମସିହାରେ ରାଜ୍ୟସଭା ସାଂସଦ ଡ଼. ଶଶୀଭୂଷଣ ବେହେରାଙ୍କ ଦ୍ୱାରା ୧୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା । ତେବେ ପ୍ରାରମ୍ଭରୁ ହିଁ ନିମ୍ନମାନର କାମକୁ ନେଇ ବିବାଦ ଉଠିଥିଲା । ବିରୋଧୀ କଂଗ୍ରେସ ଦଳ ଏଥିରେ ପ୍ରଶ୍ନ ଉଠାଇଥିଲା ଓ ଘଟଣାଟି ବିଭିନ୍ନ ଖବର କାଗଜରେ ମୁଖ୍ୟ ଖବର ଭାବେ ପ୍ରକାଶ ପାଇଥିଲା । ପ୍ରକଳ୍ପ ହସ୍ତାନ୍ତରକୁ ନେଇ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ପରେ ପାର୍କର ପାଚେରୀ ଭାଙ୍ଗି ସେଠାରେ ଡ୍ରେନ ନିର୍ମାଣ କରାଯାଇଛି । ଫଳରେ ସମ୍ପୂର୍ଣ୍ଣ ସ୍ଥାନଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି ।

ପାର୍କରେ ଘାସ ମରିଯାଇଛି , ପ୍ରତିମୂର୍ତ୍ତି ଧୂଳିରେ ଆବୃତ ହୋଇରହିଛି ଓ ଦୀର୍ଘଦିନ ଧରି ଲାଗିଥିବା ଫୁଲମାଳ ମଧ୍ୟ ବଦଳାଯାଇନାହିଁ । ଆଲୋକିକରଣ ପାଇଁ ଲଗାଯାଇଥିବା ବିଦ୍ୟୁତ୍ ସାମଗ୍ରୀ ଚୋରି ହୋଇଯାଇଥିବା ବେଳେ ଏହା ବାଇକ୍ ଓ ମିଟି ଟ୍ରକ ପାଇଁ ପାର୍କିଂ ସ୍ଥଳ ପାଲଟିଛି । ଏହାକୁ ନେଇ ସ୍ଥାନୀୟ ଗଙ୍ଗାଧର ପ୍ରେମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ବିଶ୍ୱପ୍ରସିଦ୍ଧ କବି ଗଙ୍ଗାଧର ମେହେରଙ୍କୁ ଯେଉଁଠାରେ ସମ୍ମାନ ଦିଆଯାଉଛି , ସେହି ମାଟିରେ ତାଙ୍କ ପ୍ରତିମୂର୍ତ୍ତିର ଏପରି ଅବହେଳା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ସେମାନେ । ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିମୂର୍ତ୍ତିର ପୁନରୁଦ୍ଧାର ସହିତ ସୁନିୟୋଜିତ ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


