ନୂଆଦିଲ୍ଲୀ ; ତା-୩୦/୧୧ ( ବିଏମସି ଟିଭି ଓଡ଼ିଆ)
ନିର୍ବାଚନ କମିଶନ ଭୋଟର ତାଲିକାର ଶୁଦ୍ଧିକରଣରେ ଲାଗିଥିବା ଫିଲ୍ଡ ଅଧିକାରୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। କମିଶନ ବୁଥ୍ ସ୍ତରୀୟ ଅଫିସରଙ୍କ (ବିଏଲଓ) , ବିଏଲଓ ସୁପରଭାଇଜର , ଆସିଷ୍ଟାଣ୍ଟ ଇଲେକ୍ଟୋରଲ ରେଜିଷ୍ଟ୍ରେସନ ଅଫିସର୍ସ (ଏଇଆରଓ) ଓ ଇଲେକ୍ଟୋରଲ ରେଜିଷ୍ଟ୍ରେସନ ଅଫିସର୍ସ (ଇଆରଓ)ଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ କରିଛନ୍ତି ଘୋଷଣା । ଏହି ପରିବର୍ତ୍ତନ ୨୦୧୫ ପରେ ପ୍ରଥମ ବଡ଼ ଧରଣର ବୃଦ୍ଧି। ଇଆରଓ ଓ ଏଇଆରଓଙ୍କୁ ଏବେସୁଦ୍ଧା କୌଣସି ପୃଥକ ପ୍ରୋତ୍ସାହନ ରାଶି ମିଳୁ ନଥିଲା। କମିଶନଙ୍କ କହିବା ହେଲା ଯେ, ଏହି ଅଧିକାରୀ ଗଣତନ୍ତ୍ରର ମେରୁଦଣ୍ଡ ଏବଂ ସେମାନଙ୍କର କଠିନ ପରିଶ୍ରମ ବିନା , ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ।

ପ୍ରେସ ନୋଟ୍ ଅନୁସାରେ, ବୁଥ୍ ସ୍ତରୀୟ ଅଫିସର (BLO)ଙ୍କ ବର୍ତ୍ତମାନର ପାରିଶ୍ରମିକ ୬ହଜାର ଟଙ୍କାରୁ ବୃଦ୍ଧି କରି ୧୨ ହଜାର ଟଙ୍କା ପ୍ରତିବର୍ଷ କରି ଦିଆ ଯାଇଛି। ଭୋଟର ତାଲିକା ସଂଶୋଧନ ପାଇଁ BLOଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶି ହଜାର ଟଙ୍କାରୁ ୨ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । BLO ସୁପରଭାଇଜରଙ୍କ ପ୍ରୋତ୍ସାହିତ ରାଶି ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏହା ଯେ, ପ୍ରଥମ ଥର ପାଇଁ, AEROଙ୍କୁ ପ୍ରତିବର୍ଷ ୨୫ ହଜାର ଟଙ୍କା ଏବଂ EROଙ୍କୁ ପ୍ରତିବର୍ଷ ୩୦ ହଜାର ଟଙ୍କା ପାରିଶ୍ରମିକ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି, ଯେତେବେଳେ କି ପୂର୍ବରୁ ଏହି ପଦବୀଗୁଡ଼ିକରେ କୌଣସି ପୃଥକ ପାରିଶ୍ରମିକ ରାଶି ନଥିଲା ।
ଏହା ବ୍ୟତୀତ , ବିହାରରେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ (ଏସଆଇଆର) ପାଇଁ ବିଏଲଓକୁ ଅତିରିକ୍ତ ୬ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ମଧ୍ୟ ମଞ୍ଜୁର କରାଯାଇଛି। ନିର୍ବାଚନ କମିଶନ ଅନୁସାରେ ,ଏହି ପଦକ୍ଷେପ ଫିଲ୍ଡ ସ୍ତରର କାମ କରୁଥିବା କର୍ମଚାରୀଙ୍କ ମନୋବଳ ବଢାଇବା ଓ ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରିବା ପାଇଁ ଉଠାଯାଇଛି।

ବିଏମସି ନ୍ୟୁଜ୍ ଓଡ଼ିଶା।



