ଢେଙ୍କାନାଳ ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ)
ଭୂତିକୋଶୀ ନଦୀରେ ହଠାତ ପାଣି ମାଡ଼ି ଆସିବାରୁ ଭାସିଯାଇଛି ପୁରା ରୁସୁୱା ଜିଲ୍ଲା। ଭାଙ୍ଗିଯାଇଛି ଡ୍ୟାମ୍, ଭାସିଯାଇଛି ଗାଡି ମୋଟର। ଏଯାଏଁ ୧୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଶହରୁ ଅଧିକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଅଛନ୍ତି ୧୩୩ ଭାରତୀୟ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ତେବେ ହଠାତ୍ କାହିଁକି ମାଡି ଆସିଲା ବନ୍ୟା? ଭୟଙ୍କର ବନ୍ୟା ପଛର ସମ୍ଭାବ୍ୟ କାରଣ କଣ ହୋଇଥାଇପାରେ। ‘ପ୍ଲାନେଟ୍ ଲ୍ୟାବ୍ସ’ର ଏକ ବିଶ୍ଲେଷଣକୁ ଦର୍ଶାଇଛି ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରାଧୀକରଣ- NDRRMA। ଏହି ବିଶ୍ଳେଷଣ ଅନୁଯାୟୀ, ନେପାଳ-ଚୀନ୍ ସୀମାନ୍ତ ରସୁଆଗାଢ଼ିଠାରୁ ପ୍ରାୟ ୨୦ କିଲୋମିଟର ଉତ୍ତର-ପୂର୍ବରେ ଏକ ବରଫ ସ୍ଖଳନ ହୋଇଥିଲା।
ଯାହାଫଳରେ ଲ୍ହେନ୍ଦେ ଖୋଲା ନଦୀରେ ବହୁ ପରିମାଣର ପଥର ଓ କାଦୁଅ ମିଶ୍ରିତ ବନ୍ୟା ଆସିଥିଲା। ପ୍ରାଥମିକ ସାଟେଲାଇଟ୍ ବିଶ୍ଳେଷଣରୁ ‘ପ୍ଲାନେଟ୍ ଲ୍ୟାବ୍ସ’ କିଛି ଚିତ୍ର ଜାରି କରିଛି, ଯେଉଁଥିରେ ନେପାଳରେ ହୋଇଥିବା ବନ୍ୟାର ଭୟଙ୍କର ବିଧ୍ୱଂସର ସ୍ପଷ୍ଟ ପ୍ରମାଣ ମିଳୁଛି। ଭିଡିଓରେ ଅଗଷ୍ଟ ୨୫ ଏବଂ ୨୬ ତାରିଖର ସାଟେଲାଇଟ୍ ଚିତ୍ରକୁ ପାଖାପାଖି ରଖି ବନ୍ୟା ପୂର୍ବର ଓ ପରର ସ୍ଥିତିକୁ ତୁଳନା କରାଯାଇଛି। ନେପାଳର ପ୍ରଳୟଙ୍କରୀ ବନ୍ୟାରେ ୧୫୯ ମୃତ,୧୩୩ ଭାରତୀୟଙ୍କ ସମେତ ଅନେକ ବିଦେଶୀ ନିଖୋଜ,ମୋଟ୍ ୩୮୪ ନିଖୋଜ ନେଇ ନେପାଳ ଟୁରିଜିମ୍ ବୋର୍ଡର ସୂଚନା। ତେବେ ମୃତାହତ ସଂଖ୍ୟା ଆହୁରି ବହୁତ ହୋଇପାରେ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରୁ କେତେ ଜଣ ଓଡ଼ିଆ ଥିଲେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ନିଖୋଜ ଥିବା ଖବର ମିଳିଛି। ସେମାନେ ହେଉଛନ୍ତି ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବରକୁ ଆସୁଥିବା କଲକୁ ଆଧାର କରି ସମ୍ପୂର୍ଣ୍ଣ ତଥ୍ୟ ଯୋଗାଡ଼ କରାଯାଉଥିବା କହିଛନ୍ତି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ ପଣ୍ଡା। ନେପାଳର ପ୍ରଳୟଙ୍କାରୀ ବନ୍ୟା ସ୍ଥିତିକୁ ଦେଖି ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଏବଂ ସୂଚନା ପାଇବା ପାଇଁ ଜାରି ହୋଇଛି ହେଲପଲାଇନ ନମ୍ବର। ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବି ଖୋଲାଯାଇଛି।ନୂଆଦିଲ୍ଲୀ ସ୍ଥିତ ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ବିଜ୍ଞପ୍ତି ଅନୁସାରେ ସହାୟତା ପାଇଁ ଖୋଲାଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍। ନେପାଳର ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଛି ଭାରତ।ଭାରତ ପକ୍ଷରୁ ୧୦ ଟନ୍ ରିଲିଫ୍ ସାମଗ୍ରୀ ସହ ଅତ୍ୟାବଶ୍ୟକ ଔଷଧ ପଠାଯାଇଛି। ଏନେଇ ସୋସିଆଲ୍ ମିଡ଼ିଆ Xରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର। ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ପରିବାର ଗୁଡ଼ିକ ଏବଂ ପ୍ରଭାବିତ ସମସ୍ତଙ୍କ ପ୍ରତି ଆମର ଗଭୀର ସମବେଦନା ରହିଥିବା କହିଛନ୍ତି ମନ୍ତ୍ରୀ।
ଏହି ଚ୍ୟାଲେଞ୍ଜିଂ ସମୟରେ ଭାରତ ନେପାଳ ଓ ନେପାଳବାସୀଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛି। ଭାରତ ପକ୍ଷରୁ ପଠାଯାଇଥିବା ସାମଗ୍ରୀ ଏବଂ ଚିକିତ୍ସା ସହାୟତା କାଠମାଣ୍ଡୁରେ ପହଞ୍ଚି ସାରିଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ସହଯୋଗ କରିବା ପାଇଁ ଅଧିକ ସହାୟତା ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ଲେଖିଛନ୍ତି ଏସ୍.ଜୟଶଙ୍କର।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।


