ବେଲଗୁଣ୍ଠା ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )
ବ୍ଲକ ଅନ୍ତର୍ଗତ ଘୁ . ନୂଆଗାଁ ଓ ଧୁମୁଛାଇ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ନବନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଓ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ମହାସମାରୋହରେ ଜାରି ରହିଛି । ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଢପୁରସ୍ଥିତ ମାଁ ଉଗ୍ରତାରାଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇଥିଲା । ଏହି ଆଜ୍ଞାମାଳକୁ ବେଲଗୁଣ୍ଠା ସହର ସମେତ ଘୁ . ନୂଆଗାଁ ଓ ଧୁମୁଛାଇ ଗ୍ରାମ ପରିକ୍ରମା କରାଯାଇ ବଡ଼ନଦୀ ସେତୁ ପାଦଦେଶରେ ନିର୍ମିତ ନୂତନ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଏହି ଦିନ ଅଙ୍କୁରାରୋପଣ ଓ ଗର୍ଭାଧାନ୍ୟ ପରି ବିଧି ସମ୍ପନ୍ନ ହୋଇଥିଲା । ବଡ଼ ନଦୀରୁ ଗଙ୍ଗାଜଳ ବରୁଣ ଓ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଉଭୟ ଗ୍ରାମର ପ୍ରାୟ ୪୦୦ ରୁ ଅଧିକ ମହିଳା ମୁଣ୍ଡରେ କଳସ ଧରି ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ହୁଳହୁଳି , ହରିବୋଲ ଧ୍ୱନି ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସୋମବାର ସକାଳୁ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ମନ୍ଦିରରେ ସୂର୍ଯ୍ୟପୂଜା , ଗୋପୂଜା , ଅଗ୍ନିସ୍ଥାପନ ଓ ଚଣ୍ଡୀପାଠ ଆଦି ରୀତିନୀତି ଅନୁସାରେ ଚାଲିଛି । ଆଜି ମଙ୍ଗଳବାର ଅପରାହ୍ନରେ ମହାସ୍ନାନ , ଯଜ୍ଞ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତାକାଲି ବୁଧବାର ଦିନ ନାନାଦେବଦେବୀ ହବନ ଓ ଜୀବନ୍ୟାସ କାର୍ଯ୍ୟକ୍ରମ ରହିଥିବା ବେଳେ , ଗୁରୁବାର ( ୨୭ ତାରିଖ ) ଦିନ ମାଁଙ୍କ ବନ୍ଦାପନା , ନଗର ପରିକ୍ରମା , ସିଂହାସନ ଆରୋହଣ ଏବଂ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ପବିତ୍ର ଉତ୍ସବକୁ ଦେଖିବା ପାଇଁ ବେଲଗୁଣ୍ଠା ଓ ଭଞ୍ଜନଗର ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ମନ୍ଦିର ପରିଚାଳନା କମିଟି ସମେତ ଉଭୟ ଗ୍ରାମର ଶତାଧିକ ଯୁବ ସ୍ୱେଚ୍ଛାସେବୀ ଶୃଙ୍ଖଳା ରକ୍ଷା ଓ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି । ଶ୍ରଦ୍ଧାଳୁମାନେ ନାମାମୃତ ପାନ କରିବା ସହ ମାଁଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


