ଭୁବନେଶ୍ୱର: ତା-୧୨/୦୨(ବିଏମସି ଟିଭି ଓଡିଆ)
ଭାରତ ବନ୍ଦର ପ୍ରଭାବରେ ରାଜଧାନୀର ଜନପଥ, ରାଜମହଲରୁ ରାଜଭବନ ଅବା ରସୁଲଗଡ଼ରୁ ଖଣ୍ଡଗିରି, ସବୁଠି ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଦୋକାନ ବଜାର ବି ବନ୍ଦ ରହିଥିଲା। ଜାତୀୟ ରାଜପଥଠାରୁ ଆରମ୍ଭ କରି ରାଜ୍ୟ ରାଜପଥ, ସବୁଠି ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯାଇଥିଲା। ଅନ୍ୟ ଅଞ୍ଚଳରେ ବନ୍ଦର ଆଂଶିକ ପ୍ରଭାବ ପଡ଼ିଥିଲା। ଦୋକାନ ବଜାର ଅଧା ଖୋଲା ଓ ଅଧା ବନ୍ଦ ରହିଥିଲା। କଳ୍ପନାରୁ ଲିଙ୍ଗିପୁର ଛକ, ରସୁଲଗଡ଼ରୁ ପଳାଶୁଣୀ, ପୁରୀ ବାଇପାସ, ଖଣ୍ଡଗିରିରୁ ପାତ୍ରପଡ଼ା ରାସ୍ତା, ଏଠାରେ ସବୁ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ଖୋଲା ରହିଥିଲା। ଏହି ଅଞ୍ଚଳରେ ବସ୍ ସେବା ବନ୍ଦ ରହିଥିଲେ ବି ଅଟୋ, ଚାରିଚକିଆ ଚାଲୁଥିବା ଦେଖିବାକୁ ମିଳିଥିଲା। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ ପକ୍ଷରୁ ଆଜି ଭୁବନେଶ୍ବର ରେଳଷ୍ଟେସନ୍ରେ ରେଳରୋକ କରାଯାଇଥିଲା। ସିଟୁ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରୁ ଏଜି ଛକ ପର୍ଯ୍ୟନ୍ତ ବାଇକ୍ ରାଲି କରାଯାଇଥିଲା। ଜୟଦେବବିହାରଛକଠାରେ ରାସ୍ତାରୋକ କରାଯାଇଥିଲା। ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ୟୁନିଟ୍-୧ ମୁଖ୍ୟ ଏସ୍ବିଆଇ ବ୍ୟାଙ୍କ ବନ୍ଦ କରିବା ସହ ନାରାବାଜି କରିଥିଲେ। ଡୁମ୍ଡୁମା ଛକ, ନାଲ୍କୋ ଛକ, ବରମୁଣ୍ଡା ବସଷ୍ଟାଣ୍ଡ୍ ଆଦି ସ୍ଥାନରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିପିଆଇ(ଏମ୍) ରାଜ୍ୟ କମିଟି ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଆଜିର ଧର୍ମଘଟକୁ ଐତିହାସିକ ସଫଳତା ମିଳିଛି ବୋଲି କହିଛନ୍ତି। ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଶ୍ରମିକ, କୃଷକ, କ୍ଷେତ ମଜଦୁର, ଯୁବକଯୁବତୀ, ମହିଳା ଓ ସାଧାରଣ ଜନତାଙ୍କ ଉତ୍ସାହପୂର୍ଣ୍ଣ ଭାଗିଦାରୀ ଯୋଗୁଁ ଏହା ସଫଳ ହୋଇଛି। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚର ସଂଯୋଜକ ମହେନ୍ଦ୍ର ପରିଡ଼ା କହିଛନ୍ତି, ସଂପୂର୍ଣ୍ଣ ରାଜଧାନୀରେ ଆଜି ହରତାଳ କରାଯାଇଛି। ମଧ୍ୟାହ୍ନ ୧୨ଟାରେ ଏକ ପଟୁଆର ମାଷ୍ଟରକ୍ୟାଣ୍ଟିନ ଛକଠାରୁ ବାହାରି ରାଜମହଲ ଛକ ଦେଇ ଗାନ୍ଧୀମାର୍ଗଠାରେ ପହଞ୍ଚିଲା ପରେ ତାଙ୍କ ସହ କିଶୋର ଜେନା, ଜ୍ୟୋତିରଞ୍ଜନ ମହାପାତ୍ର, ବି ଏନ୍ ମହାପାତ୍ର, ସୁର ଜେନା ପ୍ରମୁଖ ଶ୍ରମିକ ନେତାଙ୍କୁ ପୁଲିସ ଗିରଫ କରିଥିଲା। ଏହାକୁ ଶ୍ରମିକ ସଂଗଠନ ଦୃଢ଼ ନିନ୍ଦା କରୁଛି।
ଭୁବନେଶ୍ୱର ରୁ ମନୋଜ ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


