ସମ୍ବଲପୁର ; ତା.୧୨/୦୫ (ବିଏମସି ଟିଭି ଓଡିଆ)
ଆକାଶବାଣୀର ୯୦ ବର୍ଷ ଗୌରବମୟ ଯାତ୍ରା ଉପଲକ୍ଷେ ଦେଶର ପ୍ରମୁଖ ଆକାଶବାଣୀ କେନ୍ଦ୍ରମାନଙ୍କରେ ବିଭିନ୍ନ ପ୍ରକାର ସଂଗୀତ ସମାରୋହର ଆୟୋଜନ କରାଯାଉଅଛି। ଏହି କ୍ରମରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକ ସଂଗୀତ ସମାରୋହ ‘ନୁଆଁ ନବେ’ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଳୟର ତପସ୍ୱିନୀ ହଲ୍ରେ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଗତକାଲି ସନ୍ଧ୍ୟାରେ ସମ୍ପନ୍ନ ହୋଇଯାଇଛି। କେନ୍ଦ୍ରର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରାରମ୍ଭିକ ସଭାରେ ଲୋକପ୍ରିୟ ରଙ୍ଗବତୀ ଗୀତର ସୁନାମଧନ୍ୟ ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ କ୍ରୀଷ୍ଣା ପଟେଲ ଏବଂ କେନ୍ଦ୍ରର ଅଭିଯାନ୍ତ୍ରିକୀ ମୁଖ୍ୟ ସନ୍ତୋଷ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆକାଶବାଣୀ କେବଳ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନର ମାଧ୍ୟମ ନୁହେଁ, ଭାଷା, ସାହିତ୍ୟ, କଳା, ସଂସ୍କୃତି ଏବଂ ପରମ୍ପରାର ମୌଳିକତାକୁ ବଞ୍ଚାଇରଖିବା ସହିତ ଅନେକ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ଗୀତିକାର, କଣ୍ଠଶିଳ୍ପୀ ଏବଂ ନାଟ୍ୟକାର ସୃଷ୍ଟି କରିବାର ଏକ ବଳିଷ୍ଠ ଅନୁଷ୍ଠାନ। ତେଣୁ ଏହାର ଜୟଯାତ୍ରା ଅବ୍ୟାହତ ରହିବା ବାଞ୍ଛନୀୟ ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ସଂଯୋଜକ ତଥା ଗୀତିକାର ରତନ କୁମାର ପୂଜାହାରୀଙ୍କ ସଂଯୋଜନାରେ ମୀନତି ପାଣିଗ୍ରାହୀ, ଲିପିକା ବିଭାର, ଗଗନ ବାଗ ଏବଂ ଶତ୍ରୁଘନ ଲୁହା ପ୍ରାରମ୍ଭିକ ସଂଗୀତ ‘ ବହୁଜନ ହିତାୟ ବହୁଜନ ସୁଖାୟ ବାଣୀରେ ବାଣୀ ଆମ ଆକାଶବାଣୀ ‘ ପରିବେଷଣ କରିଥିଲେ। ଏହା ସହିତ ପୁରୁଣା ଦିନର ଲୋକପ୍ରିୟ କଣ୍ଠଶିଳ୍ପୀ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଗାଇଥିବା ‘ମୁରଲୀରେ ମୁରଲିକେ ସୁରେ ସୁରେ ବଜା’ ଗୀତକୁ ମୀନତି ପାଣିଗ୍ରାହୀ, ଫକୀର ପଟ୍ଟନାୟକ ଗାଇଥିବା ‘ଗଲାରାତି ଝୁମୁରାର ସୁରେ ଭରମି ଦେଲି ତୋର ନାଁ ‘ ଗୀତକୁ ଗଗନ ବାଗ, କମଳ କୁମାରୀ ବେହେରା ଗାଇଥିବା ‘ତୁଇ ନୁରୁଥିଲୁ ନୁରିନୁରି ମୁଇଁ ଶେଷେ ହେଲି ତୋର ମାଲିରେ’ ଗୀତକୁ ଲିପିକା ବିଭାର, ଜିତେନ୍ଦ୍ର ହରିପାଲ ଗାଇଥିବା ‘ସୁନାଗୁରୀ ବଉଲ କଁଷିରେ ତୋର ବିନେ ମୁଇଁ ବନା’ ଗୀତକୁ ଶତ୍ରୁଘନ ଲୁହା ପରିବେଷଣ କରି ପୁରୁଣା ଦିନର ସ୍ମୃତିକୁ ଉଜ୍ଜୀବିତ କରିବା ସହ ଶ୍ରୋତାଙ୍କୁ ବିମୋହିତ କରିଥିଲେ। ରତନ କୁମାର ପୂଜାହାରୀ ମଞ୍ଚରେ ସଙ୍ଗୀତ ପରିଚାଳନା କରିଥିବା ବେଳେ ବାଦ୍ୟଯନ୍ତ୍ରରେ କୃଷ୍ଣଚନ୍ଦ୍ର ବାଗ, ମହେଶ କୁମାର ପଟେଲ, ସୋମନାଥ ଜାଲ, ସୁରେନ୍ଦ୍ର ପାଣିଗ୍ରାହୀ ଏବଂ ପ୍ରଶାନ୍ତ ବେସନ ସହଯୋଗ କରିଥିଲେ। ଲହରଙ୍ଗା, ଲୋଲୋବିରା, ବାମରାର ବୁଦ୍ଧଦେବ ବୁଦୁଲା ଏବଂ ଦଳ କିସାନ ଆଦିବାସୀ ନୃତ୍ୟ ଏବଂ ଦିପାଲୀ ଚୌଧୁରୀ ଓ ଦଳ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାରାଣୀ ପୁଷ୍ଟି ସଭା ସଂଚାଳନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ କୈବର୍ତ୍ତ ସାହୁ ଓ ପୁଷ୍ପାଞ୍ଜଳି ଦାସ ସଂଯୋଜନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ କ୍ଷେତ୍ରମଣି ବିଭାର। ଏହି ଅବସରରେ ଉତ୍କୃଷ୍ଟମାନର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟକ୍ରମ ନିଷ୍ପାଦକ ସୌଭାଗ୍ୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶୀଳା ପ୍ରିସିଳା ମିଞ୍ଜ୍, ଲଳିତା କେର୍କେଟା, ପ୍ରବୀଣ କୁମାର ଖାଡିଆ, ତପନ କୁମାର ପଟ୍ଟନାୟକ, ସତ୍ୟରଞ୍ଜନ ପଣ୍ଡା, ଅଭିଷେକ ମିଶ୍ର, ସୁସ୍ମିତା ଲାକ୍ରା, ପ୍ରିୟଙ୍କାରାଣୀ ପ୍ରିୟଦର୍ଶିନୀ ପ୍ରଧାନ, ନୀଲମ କାଣ୍ଡୁଲନା, ପୁଷ୍ପିତା ସାହୁ, ସୀମାଞ୍ଜଳୀ ବେହେରା, ସୁଧାମୟୀ ତ୍ରିପାଠୀ, କ୍ଷୀରୋଦ୍ର ସାହୁ, ବୃନ୍ଦାବନ ସେଠ ଓ ସୋମନାଥ ଜାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


