ନୂଆଦିଲ୍ଲୀ / ଆଗ୍ରା ; ତା-୨୫/୧୨ ( ବିଏମସି ଟିଭି ଓଡ଼ିଆ)
ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଛି। ଏଥିଯୋଗୁଁ ଘନ କୁହୁଡି ସୃଷ୍ଟି ହେଉଥିବାବେଳେ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡୁଛି। ଶନିବାର ସକାଳେ ଉତ୍ତର ପ୍ରଦେଶର ଆଗ୍ରା ସହରରେ ପ୍ରବଳ କୁହୁଡି ଯୋଗୁଁ ଐତିହାସିକ ତାଜମହଲ ଏକପ୍ରକାର ଅଦୃଶ୍ୟ ହୋଇପଡିଥିଲା। ଫଳରେ ଏହି ସ୍ମାରକୀ ଦେଖିବାକୁ ଆସିଥିବା ଶତାଧିକ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡିଛି। କେତେକ ପର୍ଯ୍ୟଟକ ଏହାର ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଅପ୍ଲୋଡ କରିଛନ୍ତି। ଜଣେ ପର୍ଯ୍ୟଟକ ଲେଖିଛନ୍ତି ‘ତାଜମହଲର କେବଳ ବାହ୍ୟ ରେଖା ଦୃଶ୍ୟମାନ ହେଉଥିବାବେଳେ ମୁଖ୍ୟ ସ୍ଥାନ ଖାଲି ଆଖିରେ ଦେଖାଯାଉନଥିଲା। ବ୍ୟକ୍ତିିଗତ ଭାବେ ଏଠାକୁ ଆସିବା ଅପେକ୍ଷା ଫଟୋରେ ତାଜମହଲ ଦର୍ଶନ କରିବା ଉଚିତ ହୋଇଥାନ୍ତା’ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଆଉ ଜଣେ ଉପଭୋକ୍ତା କୁହୁଡି ଆଚ୍ଛାଦିତ ତାଜ ମହଲର ଫଟୋକୁ ସ୍ଥାନିତ କରି ‘ଏହା କେଉଁ ଐତିହାସିକ କୀର୍ତ୍ତିରାଜି’ ବୋଲି ପ୍ରଶ୍ନ କରିଛନ୍ତି। କୁହୁଡି ସ୍ଥିତି ଉଦ୍ବେଗଜନକ ହୋଇପଡିଥିବାରୁ ଆଗ୍ରା ପ୍ରଶାସନ ପକ୍ଷରୁ ଆସନ୍ତା ୨୦ରୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଜିଲାର ସବୁ ସ୍କୁଲକୁ ସକାଳ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନୋଟିସ ଜାରି କରାଯାଇଛି।

ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


