ବେଲଗୁଣ୍ଠା ; ତା – ୨୮ / ୦୩ ( ବିଏମସି ଟିଭି ଓଡ଼ିଆ )।
ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ନୂଆଁ ବନ୍ଧର ପାଣି ବହୁଦିନ ଧରି ଖରାପ ହୋଇଯାଇଥିବାରୁ ଏହାକୁ ପରିଷ୍କାର କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ । ଗ୍ରାମବାସୀଙ୍କ ଅନୁରୋଧକୁ ଆଖି ଆଗରେ ରଖି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପାଣି ନିଷ୍କାସନ କରାଯିବା ସହ ଗତ ପନ୍ଦର ଦିନ ହେବ ପୋଖରୀ ଖନନ କାର୍ଯ୍ୟ ଜାରି ରହିଛି । ଜେସିବି ମାଧ୍ୟମରେ ପୋଖରୀ ଖୋଳାଯାଇ ଦଶରୁ ଉର୍ଦ୍ଧ୍ଵ ଟ୍ରାକ୍ଟର ମାଧ୍ୟମରେ ପୋଖରୀର ପଙ୍କକୁ ସ୍ଥାନାନ୍ତର କରାଯାଉଛି । କିନ୍ତୁ ଟ୍ରାକ୍ଟର ଗୁଡ଼ିକ ପଙ୍କ ବୋହିବା ବେଳେ ଟ୍ରାକ୍ଟର ଡାଲାର ପଛପଟ ରାସ୍ତାକୁ ବନ୍ଦ କରାଯାଉନାହିଁ କିମ୍ବା ରାସ୍ତାରେ ପଙ୍କ ନପଡିବା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ପଙ୍କ ଟ୍ରାକ୍ଟର ଗୁଡ଼ିକ ନୂଆଁବନ୍ଧ ଠାରୁ ଭାୟା କୋଳି ସାହି ଦେଇ ଶାନ୍ତି ନଗର , ସୁତୁମୁସର ରୋଡ଼୍ , ବିଦ୍ୟୁତ୍ କାର୍ଯ୍ୟାଳୟ ଛକ ଆଦି ଅଞ୍ଚଳକୁ ଯାଉଥିବା ବେଳେ ରାସ୍ତା ସାରା ପଙ୍କ ପଡ଼ି ପଡ଼ି ଯାଉଛି । ଯାହାଫଳରେ ରାସ୍ତା ସାରା ପଙ୍କ ଜମା ହୋଇ ରହୁଛି ଏବଂ ଏହି ପଙ୍କରେ ଲୋକଙ୍କ ଗାଡ଼ି , ସାଇକେଲ୍ ର ଚକ ଖସି ପ୍ରତ୍ୟେକ ଦିନ ଦୂର୍ଘଟଣା ଘଟୁଛି । ପ୍ରତ୍ୟେକ ଦିନ ଏମିତି ଗୋଟିଏ ଦୁଇଟି ଦୁର୍ଘଟଣା ଘଟୁଥିବା ବେଳେ ଶୁକ୍ରବାର ଦିନ କିନ୍ତୁ କୋଡ଼ିଏରୁ ଉର୍ଦ୍ଧ୍ଵ ବାଇକ୍ ଚାଳକ ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆ ଖାବରା ହୋଇଥିଲେ । ଶୁକ୍ରବାର ଦିନ ବର୍ଷା ହୋଇଯାଇଥିବାରୁ ପଙ୍କ ପଡ଼ିଥିବା ରାସ୍ତାଟି ଅଧିକ କାଦୁଅ ହୋଇଯାଇଥିଲା । ଫଳରେ କୋଡ଼ିଏରୁ ଉର୍ଦ୍ଧ୍ଵ ଲୋକ ସେ ରାସ୍ତାରେ ପଡ଼ି ଆହତ ହୋଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ବେଲଗୁଣ୍ଠା ଅଞ୍ଚଳ ସହିତ ବାହାରୁ ଆସିଥିବା ବହୁ ଲୋକ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ବେଲଗୁଣ୍ଠାରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ସେହି ରାସ୍ତା ଦେଇ ବହୁ ବାଇକ୍ ଚାଳକ ଗାଡ଼ି ଚଳାଇ ଯିବାକୁ ନିରାପଦ ମନେ ନକରି ଗାଡିକୁ ଗଡାଇ ଗଡ଼ାଇ ନେଉଥିବା ଦେଖିବାକୁ ମିଳିଛି । ତେଣୁ ରାସ୍ତାରେ ପଡ଼ିଥିବା ଏହି ପଙ୍କକୁ ତୁରନ୍ତ ରାସ୍ତାରୁ ସଫା କରିବା ସହ ଟ୍ରାକ୍ଟରରେ ପଙ୍କ ବୋହିଲା ବେଳେ କିପରି ଏହା ରାସ୍ତାରେ ନପଡ଼ିବ ସେନେଇ ବ୍ୟବସ୍ଥା କରିବା ପାଇଁ ବେଲଗୁଣ୍ଠା ବାସୀ ଦାବୀ କରିଛନ୍ତି ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


