ସମ୍ବଲପୁର ; ତା – ୨୭/ ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ସମ୍ବଲପୁର ଜିଲ୍ଲାରେ ଟିପିଡବ୍ଲୁଡ଼ିଏଲ ଫେଲ ମାରିଛି । ନିଜ କଥା ନିଜେ ରଖୁନି । ସମସ୍ତ ବାହାସ୍ଫୋଟ ଆଜି ପଦାରେ ପଡିଛି । ଆଜି ସନ୍ଧ୍ୟାରେ କାଳବୈଶାଖୀର ପ୍ରଭାବରେ ଘୁର୍ଣ୍ଣି ଝଡ଼ ସହିତ ଜିଲ୍ଲାର ସ୍ଥାନେ ସ୍ଥାନେ କୁଆପଥର ମାଡ ହେବା ଫଳରେ ସନ୍ଧ୍ୟା ୫ ଟାରୁ ବିଜୁଳିର ଆଉ ଦେଖାନାହିଁ । ଘନ ଅନ୍ଧାରରେ ଛଟପଟ ହେଉଛନ୍ତି ଜନ ସାଧାରଣ । ଉପରେ ପୁଣି ମଶା ପ୍ରାଦୁର୍ଭାବ । ଛଟପଟ ଆବାଳ ବୃଦ୍ଧ ବନିତା । ଏଥିପ୍ରତି ସ୍ଥାନୀୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ନପଡିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ସେପଟେ ଝଡତୋଫାନରେ ଗଛ ଓ ବିଜୁଳି ପୋଲ ପଡି ରାସ୍ତା ଅବରୋଧ ହୋଇଯାଇଛି । ଚାରିଦିଗ ଘନ ଅନ୍ଧାରରେ ରହିଛି । ପଡିଆବାହାଲରୁ ଗେନୁପାଲି ରାସ୍ତା ଅବରୋଧ ହୋଇ ପଡିଛି । ପଡିଆବାହାଲ ଛକ ଠାରୁ ଘେନୁପାଲି ଯିବାକୁ ଅନତି ଦୂରରେ ଏକ ଗଛ ସହିତ ବିଜୁଳି ପୋଲ ଜୀବନ୍ତ ତାର ସହ ପଡି ସମ୍ପୂର୍ଣ୍ଣ ରାସ୍ତାକୁ ଅବରୋଧ କରିଛି । ଫଳରେ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ପଥ ହୁଡ଼ି ଅନ୍ୟ ରାସ୍ତାରେ ଯିବାକୁ ବାଧ୍ୟ ହୋଇଛନ୍ତି । ପୂର୍ବ ସରକାର ଦେଇଥିବା ଠିକା ସଂସ୍ଥା ଟାଟା ପାୱାରକୁ ନୁଆଁ ସରକାର ଗ୍ରହଣ କଲେ ସତ , କିନ୍ତୁ ନିଜର ଅପାରଗତାକୁ ପ୍ରମାଣ କରି ଠିକା ସଂସ୍ଥା ଆଗରେ ନିଜର ମୁଣ୍ଡ ବିକିଦେବା ଭଳି ନୀରବତା କାହାର ଦେହ ସୁହା ହେଉନାହିଁ । ରାଜ୍ୟରେ ଅଭିଜ୍ଞ ବିଦ୍ୟୁତ ମନ୍ତ୍ରୀ ରହିବି ରାଜ୍ୟ ସରକାର ଏହାକୁ ନିଜର ନିୟନ୍ତ୍ରଣ ଭିତରେ ରଖି ନପାରିବା ପଶ୍ଚିମାଞ୍ଚଳ ପାଇଁ ଲଜ୍ଜାର ବିଷୟ ପାଲଟିଛି । ଟିପିଡବ୍ଲୁଡ଼ିଏଲ ନିଜ ବାକ୍ୟ ନିଜେ ରଖି ପାରିନି । ଘଟଣା ଘଟିବା ୬ ଘଣ୍ଟା ବିତିଯିବା ସତ୍ତ୍ୱେ ଠିକା ସଂସ୍ଥାର କାହାର ଦେଖାନାହିଁ । ଗ୍ରୀଷ୍ମ ପୂର୍ବରୁ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇଦେବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ଫୁଟାଣି ମାରିଥିଲେ ତାହା ଆଜି ଫସର ଫାଟିଛି । ହାତୀ ଉପଦୃତ ପଡିଆବାହାଲ ଅଞ୍ଚଳରେ ଯଦି ଏଭଳି ଅବସ୍ଥା ତେବେ ସହର କଥା ପଚାରେ କିଏ ? ବଡ଼ ଲୋକଙ୍କୁ ଉତ୍ତର ନଥିବା ଭଳି ଯଦି ପୂର୍ବ ସରକାର ସହିତ ବର୍ତ୍ତମାନ ସରକାର ଗୋଟିଏ , ତେବେ ଏଭଳି ଦୁଃଖ କେବଳ ୨୪ ବର୍ଷ କାହିଁକି ଆଗକୁ ମଧ୍ୟ ଅବ୍ୟାହତ ରହିବାର ସମ୍ଭାବନା ଅଛି । ଏଥିପାଇଁ ସରକାରଙ୍କୁ କେହି ଦାୟୀ କରୁନଥିବାରୁ ଠିକା ସଂସ୍ଥା ଝିଣ୍ଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରିଛି । ଟାଟା ପାୱାର ନିଜ ଅସଲ ପାଓ୍ୱାରର ଉପଯୁକ୍ତ ବିନିଯୋଗ କରୁନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


