ନୂଆଦିଲ୍ଲୀ:ଟ ; ତା-୧୮/୦୫ ( ବିଏମସି ଟିଭି ଓଡ଼ିଆ)
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ବୈଠକ ମେ ୩୦ ଓ ୩୧ରେ ଅହମ୍ମଦାବାଦ୍ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକ୍ଭି ଯୋଗ ଦେବାକୁ ଭାରତ ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ (ଡବ୍ଲ୍ୟୁଟିସି)ର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଆଇସିସି ପକ୍ଷରୁ ଉକ୍ତ ବୈଠକ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଆଇସିିସିର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଚଳିତ ମେ ୨୧ରେ ଆଭାସୀ ମାଧ୍ୟମରେ ହେବାକୁ ଯାଉଛି। ଏହା ପରେ ମେ ୩୦ ଓ ୩୧ରେ ଆଇସିସି ବୋର୍ଡ ବୈଠକ ଅହମ୍ମଦାବାଦ୍ରେ ଅନୁଷ୍ଠିତ ହେବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି।

ଯେଉଁଥିରେ ଆଇସିସିର ସମସ୍ତ ସଦସ୍ୟ ଯୋଗଦେବାର ଆଶା କରାଯାଉଛି। ଆଇପିଏଲର ଫାଇନାଲ ମେ ୩୧ରେ ଅହମ୍ମଦାବାଦ୍ରେ ଖେଳାଯିବ। ଉକ୍ତ ସମୟରେ ଆଇସିସି ବୋର୍ଡ ବୈଠକ ମଧ୍ୟ ଅହମ୍ମଦାବାଦ୍ରେ ହେବ। ଏକ ସ୍ଥାନରେ ଆଇପିଏଲ ଫାଇନାଲ ଓ ଆଇସିସି ବୈଠକ ହେବାକୁ ଥିବାରୁ ପିସିବି ଅଧ୍ୟକ୍ଷ ନକ୍ଭି ଅହମ୍ମଦାବାଦରେ ଉପସ୍ଥିତ ରହିପାରନ୍ତି ବୋଲି ଆଲୋଚନା ହେଉଛି। ଆଇସିସି ବୈଠକ ଅହମ୍ମଦାବାଦରେ ହେବାକୁ ଥିବାରୁ ପିସିବି ମୁଖ୍ୟ ମୋହସିନ ନକ୍ଭି ଏଥିରେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପ୍ରୋଟୋକଲ ଅନୁଯାୟୀ, ଆଇସିସି ଏହି ବୈଠକ ପାଇଁ ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରିଛି। ନକ୍ଭି ଏହି ନିମନ୍ତ୍ରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କୁ ପଠାଇଛନ୍ତି। ଏପରି କରି ନକ୍ଭି ଭାରତ ଯାତ୍ରା କରିବା ଉଚିତ କି ନାହିଁ ତାହାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ସରିଫଙ୍କ ନିଷ୍ପତ୍ତି ଉପରେ ଛାଡ଼ି ଦେଇଛନ୍ତି। ଆଇସିସିର ଉକ୍ତ ବୈଠକ ମୂଳତଃ ମାର୍ଚ୍ଚ-ଏପ୍ରିଲରେ କାତାରରେ ହେବାର ଥିଲା। କିନ୍ତୁ ପଶ୍ଚିମ ଏସିଆର ସଙ୍କଟ ଯୋଗୁ ସେତେବେଳେ ଉକ୍ତ ବୈଠକକୁ ସ୍ଥଗିତ କରି ଦିଆଯାଇଥିଲା। ଏହି ବୈଠକ ଏବେ ଭାରତରେ ଅନୁଷ୍ଠିତ ହେବା ଲାଗି ପୁନଃନିର୍ଦ୍ଧାରିତ ହୋଇଛି।

ସୂଚନାଯୋଗ୍ୟ, ପିସିବି ମୁଖ୍ୟ ମୋହସିନ ନକ୍ଭି ଓ ବିସିସିଆଇ ମଧ୍ୟରେ ବିବାଦ ଗତ ୨୦୨୫ ଏସିଆ କପ ସମୟରେ ସୃଷ୍ଟି ହୋଇଥିଲାା ଦୁବାଇରେ ଏସିଆ କପ୍ ଫାଇନାଲ ଖେଳା ଯାଇଥିଲା। ଭାରତ ଚମ୍ପିଆନ ହେବା ପରେ ଏସୀୟ କ୍ରିକେଟ ପରିଷଦ (ଏସିସି) ଅଧ୍ୟକ୍ଷ ତଥଶ ପିସିବି ମୁଖ୍ୟ ନକ୍ଭି ଟ୍ରଫି ପ୍ରଦାନ କରିବାକୁ ମଞ୍ଚକୁ ଆସିଥିଲେ। ସୂର୍ଯ୍ୟକୁମାର ଯାଦବ ନେତୃତ୍ବାଧିନ ଭାରତୀୟ ଦଳ ନକ୍ଭିଙ୍କଠାରୁ ଟ୍ରଫି ଗ୍ରହଣ କରିନଥିଲା। ଫଳରେ ଟ୍ରଫିକୁ ନକ୍ଭି ନେଇ ପଳାଇଥିଲେ। ଯାହାକୁ ନେଇ ପିସିବି ଓ ବିସିସିଆଇ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

ବିଏମସି ନ୍ଯୁଜ୍ ଓଡ଼ିଶା ।


