ସମ୍ବଲପୁର/ଗୋଡଭଗା:ତା ୧୩/୦୯ (ବିଏମସି ଟିଭି ଓଡିଆ)
ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଲାୟନ୍ସ କ୍ଲବ ଗୋଡଭଗା ରୟାଲ ପକ୍ଷରୁ ଏକ ବିରାଟ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଡଭଗା କ୍ୟାମ୍ପ ସ୍ଥିତ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ ହେବା ସହ ୮୦ ଜଣ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ଲାୟନ୍ସ କ୍ଲବ ଗୋଡଭଗା ରୟାଲର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ। ଶିବିରର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯୁବଡାକ୍ତର ଚିତ୍ତରଞ୍ଜନ ଜେନା ତୁଲାଇଥିଲେ। ତାଙ୍କୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ ଡା. ପ୍ରଶାନ୍ତ ଗୋୟଲ, ଡା. ସ୍ୱାଗତ ପ୍ରଧାନ, ଡା. ଶୁଭଞ୍ଜଳି ନାଏକ, ଡା. ଚିନ୍ମୟ ମେହେର, ଡା. ଜିତେନ୍ଦ୍ର ପ୍ରଧାନ, ଲାବ୍ ଟେକ୍ନିସିଆନ କେ କେ ଖୁଆସ, ମଧୁସ୍ମିତା ମହାନ୍ତି, ସୋଭିତ ଦାସ, ଆଶୁତୋଷ ମହାପାତ୍ର, ରଜତ ବେହେରା, ଦେବାଶିଷ ମିଶ୍ର, ଅଗ୍ନି ମହାନନ୍ଦ, ଗଣେଶ ପ୍ରଧାନ ଓ ପୈନୁ ଭୋଇ। ପ୍ରକାଶ ଯୋଗ୍ୟ ଯେ, ଅତାବିରା ବ୍ଲକର ଯୁବ ଡାକ୍ତର ଚିତ୍ତରଞ୍ଜନ ଜେନା ବିଗତ କିଛି ବର୍ଷ ହେବ ଅତାବିରା ବ୍ଲକର ବିଭିନ୍ନ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ଅନୁଷ୍ଠାନ ସହ ମିଶି ଏଭଳି ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରି ଆସୁଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଉଛି।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


