ରାୟଗଡା: ତା-୦୯/୦୨(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ା ସଦରସ୍ଥିତ ହଟେଲ ରାଜ ଭବନ ପ୍ରାଙ୍ଗଣରେ ଆଜି ବହୁଜନ ସମାଜ ପାର୍ଟି ପକ୍ଷରୁ ରାୟଗଡ଼ା ଜୋନ୍ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଉତ୍ସାହ ଓ ସକ୍ରିୟତାର ସହ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦଳର କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରର ନେତୃତ୍ୱ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଆଗାମୀ ରାଜନୈତିକ କାର୍ଯ୍ୟପଥ ଉପରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଏସ୍ପିର କେନ୍ଦ୍ରୀୟ ପ୍ରଭାରୀ ଶ୍ରୀ ଦାଉରାମ ରତ୍ନାକର ଯୋଗଦେଇ ଦଳର ମୂଳ ଆଦର୍ଶ, ସାମାଜିକ ନ୍ୟାୟ ଓ ସଂବିଧାନିକ ଅଧିକାର ସୁରକ୍ଷା ପାଇଁ ବହୁଜନ ସମାଜ ପାର୍ଟିର ସଂଘର୍ଷ ବିଷୟରେ କହିଥିଲେ। ସେ କହିଥିଲେ ଯେ, ଶୋଷିତ, ବଞ୍ଚିତ ଓ ଦଳିତ ବର୍ଗଙ୍କ ଅଧିକାର ପାଇଁ ବିଏସ୍ପି ନିରନ୍ତର ଲଢ଼େଇ କରୁଛି ଏବଂ ଏହି ଲଢ଼େଇରେ କର୍ମକର୍ତ୍ତାମାନଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ ସରୋଜ କୁମାର ନାୟକ, ରାଜ୍ୟ ପ୍ରଭାରୀ ଶ୍ରୀ ଜିତୁ ଯାକେସିକା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗଙ୍ଗାଧର ପୁଆଲା ଓ ରାଜ୍ୟ ସମ୍ପାଦିକା ଶ୍ରୀମତୀ ସୁନିତା ବିଡ଼ିକା ଯୋଗଦେଇ କର୍ମକର୍ତ୍ତାମାନଙ୍କୁ ସଂଗଠନ ସୁଦୃଢ଼ କରିବା, ଘରେଘରେ ଦଳର ନୀତି ପହଞ୍ଚାଇବା ଓ ଜନସମସ୍ୟାକୁ ନେଇ ରାସ୍ତାରେ ଲଢ଼େଇ କରିବା ପାଇଁ ଆହ୍ୱାନ ଦେଇଥିଲେ।

ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଟାକ୍ରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଜିଲ୍ଲାର ସଂଗଠନୀୟ ସ୍ଥିତି, ଆଗାମୀ ଦିନର କାର୍ଯ୍ୟଯୋଜନା ଓ କର୍ମକର୍ତ୍ତାଙ୍କ ଦାୟିତ୍ୱ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ମିଳନୀର ଏକ ମୁଖ୍ୟ ଆକର୍ଷଣ ଭାବେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ଅନେକ କର୍ମୀ ବହୁଜନ ସମାଜ ପାର୍ଟିର ଆଦର୍ଶରେ ଆକୃଷ୍ଟ ହୋଇ ବିଧିବଦ୍ଧ ଭାବେ ବିଏସ୍ପିରେ ଯୋଗଦେଇଥିଲେ। ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ କେନ୍ଦ୍ରୀୟ ପ୍ରଭାରୀ, ରାଜ୍ୟ ଓ ଜିଲ୍ଲା ନେତୃତ୍ୱ ଉତ୍ତରୀୟ ପରାଇ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀ ରାୟଗଡ଼ା ଜିଲ୍ଲାରେ ବହୁଜନ ସମାଜ ପାର୍ଟିର ସଂଗଠନକୁ ଆହୁରି ଗତି ଦେବ ବୋଲି କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


