ବଲାଙ୍ଗୀର ;ତା-୨୨/୦୭(ବିଏମସି ଟିଭି ଓଡ଼ିଆ)
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପନର ସମ୍ମୁଖୀନ ହେଉଥିବା ବଲାଙ୍ଗିର ଜିଲ୍ଲାର କୁମିଆପାଲି ଗ୍ରାମର ୮୪ଟି ଅନୁସୂଚିତ ଜନଜାତି ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, କୁମିଆପାଲିର ସମସ୍ତ ୮୪ଟି ପରିବାର ଅନୁସୂଚିତ ଜନଜାତି ସମ୍ପ୍ରଦାୟର। ରାଜ୍ୟର ବିକାଶ ପାଇଁ ସେମାନେ ନିଜର ପୈତୃକ ଜମି, ଘର, ଜଙ୍ଗଲ, ଜୀବିକା ଓ ସାଂସ୍କୃତିକ ଐତିହ୍ୟ ହରାଇବାକୁ ବସିଛନ୍ତି। ତେଣୁ ଭୂମି ଅଧିଗ୍ରହଣ, ନ୍ୟାୟସଙ୍ଗତ କ୍ଷତିପୂରଣ ଓ ପୁନର୍ବାସ ଅଧିନିୟମ–୨୦୧୩, ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଏବଂ ଆଦିବାସୀଙ୍କ ପାଇଁ ପ୍ରଚଳିତ ସମସ୍ତ ସ୍ୱତନ୍ତ୍ର ସୁବିଧା ସେମାନଙ୍କୁ ଯୋଗାଇ ଦିଆଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ଶ୍ରୀ ବିଶି କହିଛନ୍ତି ଯେ, ପ୍ରାୟ ୫୦ଟି ପରିବାରର ସର୍ଭେ ଏପର୍ଯ୍ୟନ୍ତ କରାଯାଇନାହିଁ, ଯେତେବେଳେ ପ୍ରକଳ୍ପର ଜଳଭଣ୍ଡାରର ପାଣି କୁମିଆପାଲି ଗ୍ରାମରେ ପହଞ୍ଚି ସାରିଛି। ସର୍ଭେ ସମ୍ପୂର୍ଣ୍ଣ ନହୋଇ ବିସ୍ଥାପନ କରାଗଲେ ଅନେକ ପରିବାର ଘର, ଜମି, ଫଳଗଛ, କୂଅ, ପୋଖରୀ, ବୋରୱେଲ, ଫସଲ ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷତିପୂରଣ ଏବଂ ପୁନର୍ବାସ ସୁବିଧାରୁ ବଞ୍ଚିତ ହୋଇପାରନ୍ତି।
ସେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ୮୪ଟି ପରିବାରର ତୁରନ୍ତ ଓ ସମ୍ପୂର୍ଣ୍ଣ ସର୍ଭେ କରାଇବା, ଗ୍ରାମସଭାର ଉପସ୍ଥିତିରେ ସ୍ୱଚ୍ଛ ଭାବେ ପ୍ରକଳ୍ପ ପ୍ରଭାବିତ ପରିବାର (PAF) ଓ ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତି (PAP) ତାଲିକା ପ୍ରସ୍ତୁତ କରିବା ସହ ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ପୁନର୍ବାସ ସୁବିଧା ନଦେଇ କୌଣସି ପରିବାରକୁ ବିସ୍ଥାପନ ନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି।ଏହାସହ ସମସ୍ତ ପ୍ରଭାବିତ ପରିବାର ଆଦିବାସୀ ହୋଇଥିବାରୁ ପ୍ରତ୍ୟେକ ଯୋଗ୍ୟ ବୟସ୍କ ସଦସ୍ୟଙ୍କୁ PAP ଭାବେ ସ୍ୱୀକୃତି ଦେବା, ଆଇନ ଅନୁଯାୟୀ ସମସ୍ତ ସୁବିଧା ପ୍ରଦାନ କରିବା ଏବଂ ବିଶେଷ କଲ୍ୟାଣମୂଳକ ପଦକ୍ଷେପ ଭାବେ ମୁଣ୍ଡପିଛା ଦୁଇଗୁଣା PAP ଆର୍ଥିକ ସହାୟତା/କ୍ଷତିପୂରଣ ମଞ୍ଜୁର କରିବାକୁ ସେ ଦାବି କରିଛନ୍ତି। ସ୍ମାରକପତ୍ରରେ ଆହୁରି ଦାବି କରାଯାଇଛି ଯେ, ସର୍ଭେରୁ ପ୍ରାୟ ୫୦ଟି ପରିବାର ବାଦ ପଡ଼ିଥିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କୌଣସି ଯୋଗ୍ୟ ପରିବାର ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି ନିରଞ୍ଜନ ବିଶି।
ବଲାଙ୍ଗୀର ରୁ କଞ୍ଜର ମୁନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


