ସମ୍ବଲପୁର/କୁଚିଣ୍ଡା:ତା-୧୩/୦୨ (ବିଏମସି ଟିଭି ଓଡିଆ)
କୁଚିଣ୍ଡା ଅଞ୍ଚଳର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଏକାଡେମୀ ଅଫ୍ କମ୍ପ୍ୟୁଟର ଏଜୁକେଶନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ପଦ୍ମଲୋଚନ ବିଲ୍ଡିଂ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସମାଜସେବୀ ଡାକ୍ତର ହୃଦାନନ୍ଦ ନାୟକ ମୁଖ୍ୟ ଅତିଥି , ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ, ଓଡ଼ିଆ ସିନେମା ନିର୍ଦ୍ଦେଶକ ଡ଼ ଦିଲ୍ଲୀପ କୁମାର ପାଣି, ଅବସର ପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ, କୁଚିଣ୍ଡା କଲେଜ ଆଲୁମିନି ସଭାପତି ପ୍ରଫୁଲ୍ଲ ସାହୁ ଓ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଅତିଥିଗଣ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା ସହ ରକ୍ତ ଦାନର ଆବଶ୍ୟକତା ଓ ରକ୍ତ ଦାତାଙ୍କ ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀମାନେ ମୋଟ ୨୫ ୟୁନିଟ ରକ୍ତଦାନ କରିଥିବା ବେଳେ ନିଜ ନିଜ ଅଞ୍ଚଳରେ ମଧ୍ୟ ରକ୍ତ ଦାତା ସୃଷ୍ଟି କରିବାକୁ ଶପଥ ବଦ୍ଧ ହୋଇଥିଲେ । ସମସ୍ତ ରକ୍ତ ଦାତାଙ୍କୁ ଅତିଥିମାନେ ମାନପତ୍ର ଓ ମୋମଣ୍ଟୋ ଦେଇ ସମ୍ମାନିତ କରିଥିଲେ । ସେହି ପରି ଭାବରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ଫୁଲ ଚାରା ଦେଇ ସମ୍ମାନିତ କରାଯାଇଥିଲା । ରୌପ୍ୟ ଜୟନ୍ତୀକୁ ବର୍ଷ ସାରା ପାଳନ କରାଯିବାକୁ ନିର୍ଦ୍ଦେଶକ ରାଜେଶ ଶର୍ମା ଘୋଷଣା କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ କୁଚିଣ୍ଡା ରେଡକ୍ରସ ରକ୍ତ ଭଣ୍ଡାରର ପ୍ରମୋଦ କୁମାର ପଟେଲ ଓ ମାନସ ମହଲା ପ୍ରମୁଖ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଞ୍ଜିତା ପଳେଇ, ଆରତି କୁସୁମ ଓ ହୋଟେଶ୍ୱର୍ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଏକାଡେମୀ ଅଫ୍ କମ୍ପ୍ୟୁଟର ଏଜୁକେଶନର ରୌପ୍ୟ ଜୟନ୍ତୀର ଶୁଭାରମ୍ଭ


