ଢେଙ୍କାନାଳ ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ)
ଦିନ ଥିଲା ଜ୍ୟେଷ୍ଠ ଓ ଆଷାଢ଼ ମାସ ଆସିଲେ ଗାଁ ଗାଁରେ ବଢ଼େଇ ଶାଳରୁ ଶୁଭୁଥିଲା କାଠ ହଣା ଶବ୍ଦ।ସକାଳୁ ସଞ୍ଜ ଯାଏଁ ବଢ଼େଇ ଭାଇର ବିଶ୍ରାମ ନଥିଲା। ବେଉଷଣ ପୂର୍ବରୁ କ୍ଷେତକୁ ଯିବା ପାଇଁ ଚାଷୀ ଭାଇମାନେ ନିଜ କାଠ ଖଣ୍ଡିକ ଧରି ବଢ଼େଇ ପାଖରେ ଧାଡ଼ି ଲଗାଉଥିଲେ। ଗୋନ୍ଦିରା,ସମି,ଭେରୁ,ଶାଳ ଆଦି କାଠରେ ଲଙ୍ଗଳ ତିଆରି ହେଉଥିଲା। କିନ୍ତୁ,ଆଜି ସମୟ ବଦଳି ଯାଇଛି। ଆଧୁନିକତାର ସ୍ପର୍ଶ ଓ ମେସିନ୍ ଯୁଗର ଆଗମନରେ ପାରମ୍ପରିକ କାଠ ଲଙ୍ଗଳ ଆଉ ଚାଷଜମିରେ ଦେଖିବାକୁ ମିଳୁନି ଆଜିକାଲି ଟ୍ରାକ୍ଟର,ପାୱାର ଟିଲର ଏବଂ ନୂଆ ଯନ୍ତ୍ରପାତି ସାହାଯ୍ୟରେ କମ୍ ସମୟ ଓ ଶ୍ରମରେ ଚାଷ କାର୍ଯ୍ୟ ହୋଇପାରୁଛି। ଅଳ୍ପ ଖର୍କ ଓ କମ୍ ସମୟରେ ଟ୍ରାକ୍ଟର ଦ୍ବାରା ଚାଷ କାର୍ଯ୍ୟ କରାଯାଉଛି। ଫଳରେ କାଠରେ ତିଆରି ହଳଲଙ୍ଗଳର ଆବଶ୍ୟକତା ଶେଷ ହୋଇଯାଇଛି। ଯେଉଁ ଚାଷୀ ଭାଇ ଦିନେ ବଢ଼େଇ ବିନା ଚାଷ କଥା ଚିନ୍ତା କରିପାରୁନଥିଲେ,ଆଜି ବଢ଼େଇ ଆଲୋଡ଼ା ହୋଇପଡ଼ିଛନ୍ତି। ପାରମ୍ପରିକ କୃଷି ଉପକରଣ ତିଆରି କରି ଦୁଇ ପଇସା ରୋଜଗାର କରୁଥିବା ବଢ଼େଇ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ଏହି ପରିବାରଗୁଡିକର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି। ଅନେକ କାରିଗର ବାଧ୍ୟ ହୋଇ କୌଳିକ ବୃତ୍ତି ଛାଡ଼ି ଦାଦନ ଖଟିବାକୁ କିମ୍ବା ମଜୁରି କାମ କରିବାକୁ ବାଧ୍ୟ ହେଉଛନ୍ତି। କେବଳ ରୋଜଗାର ନୁହେଁ,ଏହା ସହିତ ଯୋଡ଼ି ହୋଇ ରହିଥିବା ଗ୍ରାମୀଣ ସଂସ୍କୃତି ଓ ଭାଇଚାରା ମଧ୍ୟ କ୍ରମେ ହଜିଯାଉଛି! କୌଳିକ ବୃଦ୍ଧି ଆପଣାଇ ପେଟ ପୋଷିବା ସମ୍ଭବ ହେଉନି। ସମୟ ବଦଳିଲା,ପ୍ରତି ଗାଁ ଭିତରକୁ ଅତ୍ୟାଧୁନିକ ଯନ୍ତ୍ରପାତି ଆସିଲା। ହାତର ନିହଣ ଆଜି କଳଙ୍କି ଲାଗିଗଲାଣି। ଯେଉଁ ଦଶ ଖଣ୍ଡ ଗାଁର ଲୋକେ ବଢ଼େଇ କୁ ଖୋଜୁଥିଲେ,ଆଜି ସେମାନେ ସହରକୁ ଯାଇ ଯନ୍ତ୍ରପାତି ଓ ଗାଡ଼ି କିଣି ଆଣୁଛନ୍ତି। ସନ୍ଧ୍ୟାରେ ବସି କ୍ଷେତଆଡ଼କୁ ଚାହିଁଲେ ଟ୍ରାକ୍ଟରର ଗର୍ଜନ ଶୁଣାଯାଉଛି। କେବଳ ଗୋଟିଏ ପ୍ରଶ୍ନ ମନରେ ଉଙ୍ଗିମାରୁଛି,ଦିନେ ସମସ୍ତଙ୍କ ପେଟକୁ ଦାନା ଯୋଗାଉଥିବା କାଠ ଲଙ୍ଗଳକୁ ଗଢ଼ୁଥିବା କାରିଗର ଆଜି ନିଜ ପେଟ ପୋଷିବାକୁ ଅକ୍ଷମ ଗ୍ରାମୀଣ ଅର୍ଥନୀତିର ଅନ୍ୟତମ ମୁଖ୍ୟ ଅଙ୍ଗ ଥିବା ଏହି ବଢ଼େଇ ସମ୍ପ୍ରଦାୟକୁ ବଞ୍ଚାଇ ରଖିବା ପାଇଁ ଏବଂ ସେମାନଙ୍କୁ ବିକଳ୍ପ ଜୀବିକା କିମ୍ବା ସରକାରୀ ସହାୟତା ଯୋଗାଇ ଦେଲେ ଏଭଳି ଅନେକ କାରିଗର ଉପକୃତ ହୋଇପାରନ୍ତେ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


