ବଲାଙ୍ଗୀର ;ତା-୦୭/୦୬(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗୀର ସହରରେ ବିଳମ୍ବିତ ରାତିରେ ଟାଉନ ଥାନା ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ନିଷିଦ୍ଧ କଫ୍ ସିରପ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଅଭିଯାନରେ ଏକ କାରରୁ ୮୮୦ ବୋତଲ ଏସ୍କୋଫ କଫ୍ ସିରପ ଜବତ କରାଯାଇଥିବା ବେଳେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ସହରର ଏକ ପ୍ରମୁଖ ରାସ୍ତାରେ ନାକାବନ୍ଦୀ କରି ସନ୍ଦିଗ୍ଧ ଟାଟା ନେକ୍ସନ୍ କାର (OD-17L-0120)କୁ ଅଟକାଇଥିଲା। ଯାଞ୍ଚ ସମୟରେ ଗାଡ଼ି ଭିତରୁ ୮୮୦ ବୋତଲ ଏସ୍କୋଫ କଫ୍ ସିରପ ଜବତ ହୋଇଥିଲା। ଜବତ ସିରପର ଆନୁମାନିକ ମୂଲ୍ୟ ୧,୯୭,୧୨୦ ଟଙ୍କା ହୋଇଥିବା ବେଳେ ୫ଟି ମୋବାଇଲ ଫୋନ୍ ଓ କାରକୁ ମଧ୍ୟ ଜବତ କରାଯାଇଛି।
ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ବିଦ୍ୟାଧର ସାହୁ (୨୦), ଅଙ୍କିତ ପଟେଲ (୧୯), ବିଶେଷ ଜେନା (୧୯), ପ୍ରିୟାଂଶୁ ନନ୍ଦ (୧୯) ଓ ସୁରେଶ କୁମାର ସାହୁ (୧୯)। ଗିରଫ ଅଭିଯୁକ୍ତ ବିଦ୍ୟାଧର ସାହୁଙ୍କ ନାମରେ ପୂର୍ବରୁ ମଧ୍ୟ ସମାନ ପ୍ରକାରର ଏକାଧିକ ମାମଲା ରହିଥିବା ବଲାଙ୍ଗୀର ପୋଲିସ ସୂଚନା ଦେଇଛି।
ଏ ନେଇ ଟାଉନ ଥାନାରେ କେସ୍ ନମ୍ବର ୩୦୨, ତାରିଖ ୦୬.୦୬.୨୦୨୬ ଅନୁଯାୟୀ ଧାରା ୨୧(ସି)/୨୯ ଏନ୍ଡିପିଏସ୍ ଆକ୍ଟ ରେ ମାମଲା ରୁଜୁ କରାଯାଇଛି।
ବଲାଙ୍ଗୀର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ଏ.କେ. ସାହୁ, ଏସ୍ଆଇ ଦେବାଶିଷ ସତପଥୀ, ସି.କେ. ମହାପାତ୍ର, ବିଶାଖା ନାୟକ, ଏଏସ୍ଆଇ ବୈକୁଣ୍ଠ ଦେହେରୀ, କେ. ପାଣ୍ଡେ ଓ ଯୋଗେଶ୍ୱର ମୁଗୁରୀଙ୍କ ସମେତ ପୋଲିସ ଟିମ୍ ଏହି ସଫଳ ଚଢ଼ାଉକୁ ଅଞ୍ଜାମ ଦେଇଥିଲେ। ଜବତ କଫ୍ ସିରପ କେଉଁଠାରୁ ଆସିଥିଲା, କେଉଁ ସ୍ଥାନକୁ ଚାଲାଣ ହେଉଥିଲା ଏବଂ ଏହା ପଛରେ କୌଣସି ବଡ଼ ଚୋରାଚାଲାଣ ଚକ୍ର ସକ୍ରିୟ ଅଛି କି ନାହିଁ, ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି। ଜିଲ୍ଲାରେ ନିଶା କାରବାର ବିରୋଧରେ ପୋଲିସର ଲଗାତାର ଅଭିଯାନ ମଧ୍ୟରେ ଏହି ଜବତକୁ ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି ।
ବଲାଙ୍ଗୀର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।
ବଲାଙ୍ଗୀର ରୁ କଞ୍ଜର ମୁନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


