ଭୁବନେଶ୍ୱର ; ତା-୨୧/୧୨ ( ବିଏମସି ଟିଭି ଓଡ଼ିଆ)
ଭୁବନେଶ୍ୱର ସ୍ଥିତ ଧଉଳି ଥାନା ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଚାକିରି ଦେବାକୁ ଡାକି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୩ ଜଣ ଦୁର୍ବୃତ୍ତ । ରାଜଧାନୀର ସହିଦନଗର ଥାନା ଅଞ୍ଚଳରେ ଏମିତି ଘଟଣା ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ଅଭିଯୁକ୍ତ ହେଲେ ଅକ୍ଷୟ ଦାସ ଓ ସାହିଲ୍ ଖାନ୍ ।
ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ, ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ । ଦରମା ୧୦ରୁ ୧୨ ହଜାର ମିଳିବ । ଏହା ଦେଖି ନାବାଳିକା ଜଣଙ୍କ ତାଙ୍କୁ ଫୋନ୍ କରିଥିଲେ । ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଏକ ଠିକଣା ଦେଇଥିଲେ । ଗତ ୧୮ ତାରିଖ ଦିନ ପ୍ରାୟ ୨ଟା ବେଳେ ନାବାଳିକା ସେଠାରେ ପହଞ୍ଚି ଯାଇଥିଲେ । ନାବାଳିକା ଦେଖିଥିଲେ ରୁମ୍ରେ ୩ ଜଣ ଯୁବକ ଅଛନ୍ତି । ନାବାଳିକା ଜଣଙ୍କ ରୁମ୍କୁ ଯିବା ମାତ୍ରେ ଜଣେ ଯୁବକ ବାହାକୁ ପଳାଇ ଆସି ରୁମ୍ ବାହାର ପଟୁ ବନ୍ଦ କରି ଦେଇଥିଲେ । ଅକ୍ଷୟ ଓ ସାହିଲ୍ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ଏହି ଅମାନବୀୟ କାଣ୍ଡର ଭିଡିଓ କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ନାବାଳିକା ଜଣଙ୍କ ଚେତା ହରାଇଥିଲେ । ଚେତା ଫେରିବା ପରେ ଅକ୍ଷୟ ଓ ସାହିଲ୍ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଛକରେ ଛାଡ଼ି ଦେଇଥିଲେ ।

ପରେ ପରେ ନାବାଳିକା ଜଣକ ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ୧୯ ତାରିଖ ଦିନ ପରିବାର ଲୋକ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା(୬୧୦/୨୫) ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ୧୯ ତାରିଖ ଦିନ ପୁଲିସ୍ ନାବାଳିକାର ଡାକ୍ତରୀ ପରୀକ୍ଷା କରିବା ସହ ବୟାନ ରେକର୍ଡ କରିଥିଲା । ତା’ପରେ ଦୁଇ ଅଭିଯୁକ୍ତଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ପୁଲିସ୍ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳ ଯାଞ୍ଚ କରିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ ଦଫା ୭୦ (ଗଣ ଦୁଷ୍କର୍ମ) ଓ ୬ ପୋକ୍ସୋ ଆକ୍ଟ ଲାଗିଛି । କମିଶନରେଟ୍ ପୁଲିସର ଏହି ଘଟଣାକୁ ଚାପି ଦେବାକୁ ଯୋଜନା କରିଥିଲେ ।

ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


