ଭୁବନେଶ୍ୱର ; ତା-୦୧/୦୭ ( ବିଏମସି ଟିଭି ଓଡ଼ିଆ)
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବିଜେପି ସରକାର ଖେଳିବାରେ ଲାଗିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି । କିନ୍ତୁ ବିଜେପି ନିଜ ଦୋଷକୁ ସ୍ୱୀକାର କରି, ତୃଟି ପୂର୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ନାରାଜ ରହିଛି । ଯାହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜୁ ଯୁବ ଛାତ୍ର ଜନତା ଦଳ। ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୦ ଅନୁସାରେ, ଶ୍ରେଣୀ ୧ ରୁ ୮ ପାଠ୍ୟପୁସ୍ତକରେ ଅଭୂତପୂର୍ବ ବ୍ୟାପକ ତ୍ରୁଟି ରହିଛି । ପାଠ୍ୟ ପୁସ୍ତକ ପ୍ରକାଶ ଆଳରେ ୩୮୦ କୋଟି ମୂଲ୍ୟର ପ୍ରିଣ୍ଟିଂରେ ଦୁର୍ନୀତି ହୋଇଛି।

ଉକ୍ତ ଦୁର୍ନୀତି ନେଇ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେଡି ପକ୍ଷରୁ ପୂର୍ବରୁ ବିଭିନ୍ନ ଫୋରମ୍ ଜରିଆରେ ଦାବି କରାଯାଇଛି। ତଦନ୍ତ ଜଗିଆରେ ସତ୍ୟ ସର୍ବସମ୍ମୁଖକୁ ଆସିଲେ ଦୋଷୀ ବ୍ୟକ୍ତି, ଅଧୂକାରୀ ଓ ଏଜେନ୍ସୀ ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବିଜେଡି ଦାବି କରିଛି। ତ୍ରୁଟିପୂର୍ଣ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଖର୍ଚ୍ଚ ହୋଇଥିବା ଲୋକଙ୍କ ଟଙ୍କା ମଧ୍ୟ ଉଦ୍ଧାର କରାଯିବା ଉଚିତ୍ ବୋଲି ଦଳ କହିଛି।

ବିଜେଡି ଦାବି କରିଛି ଯେ, ନୂତନ ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ବ୍ୟାପକ ଭୁଲ୍ କେବଳ ପ୍ରଶାସନିକ ଅବହେଳା ନୁହେଁ ବରଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ଶକ୍ତ ଆଘାତ। ଏହିପରି ଗମ୍ଭୀର ପ୍ରସଙ୍ଗ ସତ୍ତ୍ବେ ସରକାର ମନ୍ତ୍ରୀ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ଦଳ ଅଭିଯୋଗ କରିଛି।
ଏହାର ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ବରରେ ମଙ୍ଗଳବାର ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁଙ୍କ ନେତୃତ୍ୱରେ ଏଲ୍ଆଇସି ଅଫିସ୍ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଛାତ୍ର ଓ ଯୁବକ ଏଥିରେ ଯୋଗ ଦେଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଓ ପାଠ୍ୟପୁସ୍ତକ ବିବାଦରେ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଓ ତଦନ୍ତ ନେଇ ନାରାବାଜି ପ୍ରଦାନ କରିଥିଲେ ।

ପ୍ରତୀକାତ୍ମକ ପ୍ରତିବାଦ ସ୍ୱରୂପ ଏକ ଯଜ୍ଞ ମଧ୍ୟ କରାଯାଇଥିଲା। ଜ୍ଞାନ, ଶିକ୍ଷାମାନ, ଭାଷା ଏବଂ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲା । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା ସମାଜର ଆଧାର। ପାଠ୍ୟପୁସ୍ତକ ଗୁଣବତ୍ତା ସହ କୌଣସି ବୁଝାମଣା କରାଯିବ ନାହିଁ । ଏହି ପାଠ୍ୟ ପୁସ୍ତକ ଗୁଡ଼ିକ ମୁଦ୍ରଣ ଓ ପ୍ରକାଶନ ପ୍ରକ୍ରିୟାରେ ପ୍ରାୟ ୩୮୦ କୋଟି ଟଙ୍କାର ଗୁରୁତର ଅନିୟମିତତା ଓ ଦୁର୍ନୀତି ଘଟିଛି । ସମଗ୍ର ଘଟଣାର ସତ୍ୟାସତ୍ୟ ଉନ୍ମୋଚନ, ଦୋଷୀ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସିବିଆଇ ତଦନ୍ତ ଦାବି କରିଛି। ଏହାସହ ତ୍ରୁଟିପୂର୍ଣ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଜନସାଧାରଣଙ୍କ ଅର୍ଥରୁ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ସମ୍ପୃକ୍ତ ଅଧିକାରୀ, ସଂସ୍ଥା ଓ ଦୋଷୀ ବ୍ୟକ୍ତିଙ୍କ ଠାରୁ ଆଦାୟ କରିବାକୁ ଦଳ ଦାବି କରିଛି। ରାଜ୍ୟ ସରକାରଙ୍କୁ ତୁରନ୍ତ ସମ୍ପୂର୍ଖ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେବା, ଦୋଷୀ ମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଏବଂ ବିଳମ୍ଭ ନ କରି ଛାତ୍ରଛାତ୍ରୀଙ୍କୁ ତୃଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇବାକୁ ଦାବି କରିଛି ।

ବିଜୁ ଜନତା ଦଳ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା, ଓଡ଼ିଆ ଭାଷାର ଗରିମା ସଂରକ୍ଷଣ ଏବଂ ରାଜ୍ୟବାସୀଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ଅବହେଳା ପାଇଁ ଲଢ଼େଇ ଜାରି ରଖିବୁ ବୋଲି କହିଛନ୍ତି। ଏନେଇ ସରକାର ଆଗକୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକଲେ ବିଜେଡି ପକ୍ଷରୁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି କୁହାଯାଇଛି।

ଏହି ବିକ୍ଷୋଭରେ ଖୋର୍ଦ୍ଧା ଜ଼ିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର କୁମାର ସାହୁ, ଡ. ପ୍ରିୟବ୍ରତ ମାଝୀ, ସୋଫିଆ ଆଲମ, ଅମରଜିତ ସେନାପତି, ସୁବ୍ରଜିତ ପାଢ଼ୀ, ଆଶିଷ ସାହୁ, ସତ୍ୟଜିତ ପଟ୍ଟନାୟକ, ନୀଳମାଧବ ମହାନ୍ତି, ସୌମ୍ୟ ରଞ୍ଜନ ତ୍ରିପାଠୀ, ସଜ୍ଜିତ ମହାନ୍ତି, ଅବ୍ୟକ୍ତ ହରିହର ଖଜଙ୍ଗା, ସତ୍ୟ ପ୍ରକାଶ ସାହୁ,ଅନନ୍ତ ଶତପଥୀ, ଶ୍ରୀଚନ୍ଦନ ପାତ୍ର, ସ୍ମୃତି ରଞ୍ଜନ ପଟ୍ଟନାୟକ, ସୁକାନ୍ତ ନାୟକ, ଅରୂପ ଶ୍ରୀଚନ୍ଦନ, ମନୋଜ ସେନାପତି, ପ୍ରଦୋଷ ପରିଡ଼ା, ବାବୁ ଖାନ, ଚିନ୍ମୟ ଦାସ, ଏସ୍.କେ. ନଓ୍ବାଜ, ସାଗର ବଳବନ୍ତରାୟ, ବିଜୟଲକ୍ଷ୍ମୀ ଦାସ, ସ୍ନେହାଶିଷ ଜେନା, ତବ୍ରେଜ ଖାନ, ଫାତିମା ଖାଡ଼ୁନ, ଦୀପକ ବେହେରା, ମନୋରଞ୍ଜନ ସ୍ୱାଇଁ, ବିଜୟ କେତନ ସାହୁ, ବିକ୍ରମ ପଟ୍ଟନାୟକ, ସୌମ୍ୟ ସାର୍ଥକ ରାୟ, ଆଫତାବ ଆଲମ ଖାନ, ସୋନାଲି ପ୍ରିୟଦର୍ଶିନୀ, ଚିନ୍ମୟୀ ପଣ୍ଡା, ସୁଚିସ୍ମିତା ବେହେରା, ପୃଥ୍ବୀରାଜ ପଣ୍ଡା,, ପ୍ରଫୁଲ୍ଲ ନାୟକ, ମନୋଜ ମହାନ୍ତି, ପ୍ରଦୀପ୍ତ ବିଶ୍ଵାଳ, ବିଶ୍ଵରଞ୍ଜନ ଭୂଇଁଆ, ଜଗମୋହନ ବଳିଆରସିଂହ, ଜ୍ଞାନରଞ୍ଜନ ମାନସିଂହ, ସୁଦେଶ ସିଂହ, ଶ୍ରୀଚନ୍ଦନ ପାତ୍ର, ରଶ୍ମି ବେହେରା, ସମ୍ମିମ ଅକତର, ଦିବ୍ୟ ସିଂହ ସେଠୀ, ଦିପ୍ତେନ୍ଦୁ ଚୌଧୁରୀ, ଶୁଭ୍ରମ ଖଟୁଆ ଓ ନନ୍ଦଲାଲ ସିଂ, ଅମୀୟ ମହାନ୍ତି,ବିରଞ୍ଚି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା ।


